ଭାରତ-ବାଂଲାଦେଶ ଦିନିକିଆ; ସୁପର ସନ୍‌ଡେ’ରେ ହେବ ସୁପର ଫାଇଟ୍

Published By : Prameya-News7 Bureau | December 04, 2022 IST

ମୀରପୁର,୦୪/୧୨: ଭାରତ-ବାଂଲାଦେଶ ଦିନିକିଆ ସରିଜ୍ । ରବିବାର ଅର୍ଥାତ୍ ଆଜି ଠାରୁ ଆରମ୍ଭ ହେଉଛି ଅଭିଯାନ । ଦିନ ସାଢେ ୧୧ଟାରେ ଶେରେ ବାଂଲା ଷ୍ଟାଡିୟମ୍‌ରେ ଖେଳାଯିବ ଏହି ମ୍ୟାଚ୍‌ । ପ୍ରଥମ ଓ୍ବାନଡେ' ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଟିମ୍ ଇଣ୍ଡିଆର ପଲା ଭାରି ରହିଥିଲେ ମଧ୍ଯ ମ୍ୟାଚରେ ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ ବାଂଲାଦେଶ ଟିମ୍ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ' ଦଳକୁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍‌ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ଇଶାନ କିଷନ, ରଜତ ପାତିଦାର, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ ।

ଭାରତ ବିପକ୍ଷରେ ବାଂଲାଦେଶ ଆଜି ପର୍ଯ୍ୟନ୍ତ ମୋଟ୍‌ ୫ଟି ଦିନିକିଆ ଜିତିଛି । ଶେଷ ଥର ପାଇଁ ବାଂଲାଦେଶ ୨୦୧୫ରେ ଭାରତକୁ ହରାଇଥିଲା । ଏଥର ଭାରତକୁ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବା ପାଇଁ ବାଂଲାଦେଶ ସ୍ପିନର ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି । ନିକଟରେ ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କ ବିପକ୍ଷରେ ବାରମ୍ବାର ତ୍ରୁଟି କରୁଥିବା ଦେଖିବାକୁ ମିଳିଥିଲା ।

ଅଧିନାୟକ ଲିଟନ ଦାସଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ବାଂଲାଦେଶ ଟିମ୍ । ଚଳିତ ବର୍ଷ ଶ୍ରେଷ୍ଠ ଫର୍ମରେ ରହିଛନ୍ତି ଲିଟନ ଦାସ । ବିଶ୍ବକପରେ ଭାରତ ବିରୋଧରେ ଚମତ୍କାର ଇନିଂସ ଦେଖିଥିଲେ ଲିଟନ । ଚଳିତ ବର୍ଷ ସମସ୍ତ ଫର୍ମାଟ୍‌କୁ ମିଶାଇ ଲିଟନ ମୋଟ୍‌ ୧୭୦୩ ରନ୍‌ ସଂଗ୍ରହ କରିଛନ୍ତି । ଏଥିରୁ କେବଳ ଦିନିକିଆ ୫୦୦ ରନ୍‌ ରହିଛି । ଷ୍ଟାର ବ୍ୟାଟର ସାକିବ ଅଲ୍‌ ହାସନ ଓ ମୁସଫିକର ରହିମଙ୍କ ଉପରେ ବାଂଲା ଫ୍ୟାନଙ୍କ ନଜର ରହିବ । ତାମିମ ଇକବାଲ ଆହତ ହୋଇ ବାଦ ପଡ଼ିଥିବାରୁ ସାକିବ ୩ନଂ ସ୍ଥାନରେ ବ୍ୟାଟିଂ କରିପାରନ୍ତି । ସେହିପରି ଆହତ ପେସ୍‌ ବୋଲର ଟସ୍କିନ ଅହମ୍ମଦଙ୍କ ସ୍ଥାନରେ ଇବାଦତ ହୋସେନଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ଆଜିର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ସେ ୩୦ ରନ୍‌ କଲେ ବାଂଲାଦେଶ ମାଟିରେ ୧୦୦୦ ରନ ପୂରଣ କରିବେ । ଶେଷ ୮ଟି ଦିନିକିଆରେ କୋହଲି ୨୧.୮୭ ହାରରେ ରନ୍‌ ସଂଗ୍ରହ କରିଥିଲେ । ବର୍ତ୍ତମାନ ସେ ଫର୍ମକୁ ଫେରିସାରିଛନ୍ତି ।

ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି ଆହତ ହେବା ଦଳକୁ ଚିନ୍ତାରେ ପକାଇଛି । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି । ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି ଓ ଯୁବ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିଛି । ସାମିଙ୍କ ଅନୁପସ୍ଥିତିରେ ଉଭୟ ସର୍ଦୁଲ ଠାକୁର ଓ ଦୀପକ ଚହରଙ୍କୁ ପ୍ରାଥମିକତା ମିଳିପାରେ । ନଚେତ୍ ନବାଗତ କୁଲଦୀପ ସେନ ଟିମ୍‌ରେ ପଦାର୍ପଣ କରିବେ ।

ଶେରେ ବାଂଲା ଷ୍ଟାଡିୟମ୍‌ ମୁଖ୍ୟତଃ ବ୍ୟାଟରଙ୍କୁ ସୁହାଇବ । ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ । ସ୍ପିନରମାନେ ମଧ୍ୟ ପିଚ୍‌ରୁ ଫାଇଦା ଉଠାଇ ପାରିବେ । ଅବଶ୍ୟ ନୂଆ ବଲ୍‌ରେ ସୁଇଂ ମିଳିବା ଆଶା କରାଯାଉଛି । ଏହି ସିରିଜରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିନି ଦିନିକିଆ ମ୍ୟାଚ୍ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.