ଷ୍ଟାର କିମ୍ବା ଡିଜନୀରେ ଦେଖିବାକୁ ମିଳିବନି ଭାରତ-ବାଂଲାଦେଶ ମୁକାବିଲା, ଜାଣନ୍ତୁ କେଉଁଥିରେ ହେବ ପ୍ରସାରଣ
3/12/2022 at 9:12 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ସଂପ୍ରତି ବାଂଲାଦେଶ ଗସ୍ତରେ ରହିଛି। ଏହି ଗସ୍ତରେ ଭ୍ରମଣକାରୀ ଭାରତ ଏବଂ ଘରୋଇ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳାଯିବ। ଏହି ସିରିଜ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ପୂରା ଶକ୍ତିର ସହ ମଇଦାନକୁ ଓହ୍ଲାଇବ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ରୋହିତ, ବିରାଟ କୋହଲି ସମେତ କିଛି ତାରକା ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ସମସ୍ତ ଖେଳାଳି ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ।
ତେବେ ସବୁଠୁ ବଡ ପ୍ରଶ୍ନ କ୍ରିକେଟ୍ ପ୍ରଶଂସକ ଏହି ସିରିଜ୍ର ମ୍ୟାଚ୍ଗୁଡିକୁ କେଉଁ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ଦେଖି ପାରିବେ। ଏଥର ବି କ୍ରିକେଟ୍ ପ୍ରେମୀ ନିରାଶ ହେବେ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରି ବାଂଲାଦେଶ ବିପକ୍ଷ ସିରିଜ୍ର ପ୍ରସାରଣ ଷ୍ଟାର ଚ୍ୟାନେଲ୍ କିମ୍ବା ଡିଜନୀ ହୋଟ୍ ଷ୍ଟାରରେ ହେବ ନାହିଁ। ଏହି ସିରିଜ୍ର ପ୍ରସାରଣ ଆମାଜନ ପ୍ରାଇମ୍ରେ ହେବାକୁ ଯାଉଛି। ଯେଉଁ ଦର୍ଶକ ଆମାଜନ ପ୍ରାଇମ୍ ସସ୍କ୍ରାଇବ୍ କରି ନାହାନ୍ତି ସେମାନଙ୍କୁ ଚିନ୍ତା କରିବାର ଦରକାର ନାହିଁ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡିସେମ୍ବର ୪, ଦ୍ଵିତୀୟ ଦିନିକିଆ ଡିସେମ୍ବର ୭ ଏବଂ ତୃତୀୟ ଦିନିକିଆ ଡିସେମ୍ବର ୧୦ରେ ଖେଳାଯିବ। ସମସ୍ତ ମୁକାବିଲା ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ ଖେଳାଯିବ। ଟସ୍ ୧୧ଟାରେ ପଡିବ। ପ୍ରଥମ ଦୁଇଟି ଦିନିକିଆ ଢାକା ଏବଂ ଶେଷ ଦିନିକିଆ ଚଟ୍ଟଗାଓଁରେ ଖେଳାଯିବ।
ସିରିଜ୍ର ପ୍ରସାରଣ ସୋନି ସ୍ପୋର୍ଟ୍ସରେ ହେବ। ତେଣୁ ସୋନି ସ୍ପୋର୍ଟ୍ସ ଟେନର ଅଲଗା ଅଲଗା ଚ୍ୟାନେଲ୍ରେ ଦର୍ଶକ ମ୍ୟାଚ୍ ଦେଖି ପାରିବେ। ଏହା ସହିତ ଲାଇଭ୍ ଷ୍ଟ୍ରିମିଂ ସୋନି ଲିଭ୍ରେ କରାଯିବ। ଭାରତୀୟ ଦଳ ଏ ପର୍ଯ୍ୟନ୍ତ ବାଂଲାଦେଶ ବିପକ୍ଷରେ ୪ ଦ୍ଵିପାକ୍ଷିକ ଦିନିକିଆ ସିରିଜ୍ ଖେଳିଛି। ଦୁଇ ଦଳ ମଧ୍ୟରେ ପଞ୍ଚମ ସିରିଜ୍ ଖେଳାଯିବ। ପ୍ରଥମ ତିନୋଟି ସିରିଜ୍ ଭାରତ ଜିତିଥିବା ବେଳେ ଶେଷ ସିରିଜ୍କୁ ବାଂଲାଦେଶ ୨-୧ରେ କବଜା କରିଥିଲା। ଏହି ସିରିଜ୍ ୨୦୧୫ରେ ଖେଳାଯାଇଥିଲା।
ସୂଚନାଯୋଗ୍ୟ, ବାଂଲାଦେଶ ଏ ପର୍ଯ୍ୟନ୍ତ ଭାରତରେ ଦ୍ଵିପାକ୍ଷିକ ସିରିଜ୍ ଖେଳି ନାହିଁ। ମୋଟାମୋଟି ଦିନିକିଆରେ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳର ଦବଦବା ରହିଛି। ଦୁଇ ଦଳ ମଧ୍ୟରେ ମୋଟ୍ ୩୬ଟି ଦିନିକିଆ ଖେଳା ଯାଇଥିବା ବେଳେ ଭାରତ ୩୦ଟିରେ ଜିତିଥିବା ବେଳେ ବାଂଲାଦେଶ ୫ଟି ଜିତିଛି ଏବଂ ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି।