ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି୨୦ : ସିରିଜ୍ କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ବିରାଟ ବାହିନୀ

Published By : Prameya-News7 Bureau | December 08, 2020 IST

ସିଡନୀ, ୦୮|୧୨ : ଭାରତ ଟି୨୦ ସିରିଜର ପ୍ରଥମ ୨ଟି ମ୍ୟାଚ୍ ଜିତି ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଏହାସହ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ କ୍ଲିନ୍ ସ୍ୱିପ୍ କରିବା ପାଇଁ ମଙ୍ଗଳବାର ପଡିଆକୁ ଓହ୍ଲାଇବ । ଦଳ ପୁଣି ଥରେ ୨୦୧୬ ଭଳି ପରିସ୍ଥିତିରେ ଆସି ପହଁଚିଛି । ୨୦୧୬ରେ ମଧ୍ୟ ଦଳ ଦିନିକିଆ ସିରିଜ୍ ହାରିଥିଲା କିନ୍ତୁ ଟି୨୦ ସିରିଜକୁ ୩-୦ରେ ପୋଛି ନେଇଥିଲା । ଟିମ୍ ଇଣ୍ଡିଆ ପୁଣି ସମାନ ସଫଳତାକୁ ଦୋହରାଇବା ପାଇଁ ପ୍ରୟାସ କରିବ ।

ଭାରତ ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିଥିଲେ ବି ମଙ୍ଗଳବାରର ମ୍ୟାଚ୍‌କୁ ହାଲ୍‌କା ଭାବେ ନେବ ନାହିଁ।କାରଣ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ପାଖରେ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବାକୁ ସୁଯୋଗ ରହିଛି। ଭାରତର ଦଳଗତ ପ୍ରଦର୍ଶନ ଉଚ୍ଚମାନର ରହିଛି। ତେଣୁ ଆଉ ଏକ ବିଜୟ ସୁଯୋଗ ହାତଛଡ଼ା କରିବାକୁ ଦଳ କେବେବି ଚାହିଁବ ନାହିଁ।

ବୋଲିଂ ବିଭାଗରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ଟି ନଟରାଜନଙ୍କ ଶୃଙ୍ଖଳିତ ବୋଲିଂ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ନିୟମିତ ୟର୍କର ପକାଇବାର କ୍ଷମତା ତାଙ୍କ ପାଖରେ ଅଛି। ପ୍ରଥମ ୨ଟି ମ୍ୟାଚ୍‌ରେ ସେ ୫ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ତୃତୀୟ ଟି୨୦ରେ ସେ ଆହୁରି ଘାତକ ବୋଲିଂ କରିପାରନ୍ତି।

ମଙ୍ଗଳବାର ଅଷ୍ଟ୍ରେଲିଆ ଦଳକୁ ଆରୋନ୍‌ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ପ୍ରଥମ ଟି-ଟ୍ୱେଣ୍ଟିରେ ସେ ଆହତ ହୋଇଥିଲେ । ଏହାପରେ ଦ୍ୱିତୀୟ ମ୍ୟାଚରୁ ସେ ବାଦ୍ ପଡିଥିଲେ । ଏବେ ସେ ଫିଟ୍‌ ଅଛନ୍ତି । ଫିଞ୍ଚ ଯଦି ଖେଳନ୍ତି ତାହେଲେ ଡାର୍ସି ସର୍ଟ ଚୂଡାନ୍ତ ଏକାଦଶରୁ ବାଦ ପଡ଼ିବେ। ଟେଷ୍ଟ ସିରିଜକୁ ନଜରରେ ରଖି ଷ୍ଟିଭେନ ସ୍ମିଥ୍‌ଙ୍କୁ ମଧ୍ୟ ବିଶ୍ରାମ ଦେବାକୁ ଯୋଜନା କରିଛି ଦଳ।

ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରିହଛି । ଉଭୟ ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେଇଛି ଦଳ । ତଥାପି ୫ ବୋଲର ନେଇ ଭାରତ ପଡିଆକୁ ଓହ୍ଲାଇବ । ଶାର୍ଦୁଲ ଠାକୁର, ଦୀପକ ଚହର ଓ ଟି ନଟରାଜନ ପେସ୍‌ ବିଭାଗ ଏବଂ ୱାସିଂଟନ ସୁନ୍ଦର ଓ ୟୁଜବେନ୍ଦ୍ର ଚହଲ ସ୍ପିନ ବିଭାଗ ସମ୍ଭାଳିବେ । ଦଳ ପୁଣିଥରେ ପୂର୍ବ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.