ବିଦେଶରେ ପହଞ୍ଚିଲା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଘଟଣା; ଭାରତକୁ ସମନ କଲା କତାର

Published By : Prameya-News7 Bureau | June 05, 2022 IST

ଦୋହା: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ବିଜେପି ନୁପୁର ଶର୍ମା। ଏହାପରେ କହିଥିବା ଶବ୍ଦ ଫେରାଇ ନେଉଛି କହି କ୍ଷମା ବି ମାଗିଲେ। ତଥାପି ସରିଲାନି ବିବାଦ। ବରଂ ଦେଶ କଥା ଏବେ ବିଦେଶକୁ ମାତିଲା। ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ କତାର ସରକାର ଭାରତକୁ ସମନ କରିଛନ୍ତି।

କତାରରେ ଥିବା ଭାରତୀୟ ଦୂତାବାସକୁ ସମନ କରି ଉତ୍ତର ମାଗିଛନ୍ତି କତାର ସରକାର। ତା ସହ ନୁପୁର ଶର୍ମାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସ୍ୱାଗତ କରାଯାଇଛି। କତାର ବୈଦେଶିକ ମନ୍ତ୍ରାଳୟ ସମନ କରିବା ପରେ ଉତ୍ତର ରଖିଛନ୍ତି ରାଷ୍ଟ୍ରଦୂତ ଦୀପକ ମିତ୍ତଲ। ନୁପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ ଜବାବ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନୁପୁରଙ୍କର ମନ୍ତବ୍ୟରେ ଭାରତ ସରକାର କୌଣସି ସମ୍ପର୍କ ନାହିଁ। ଏହି ଟ୍ୱିଟ୍‌ ଭାରତ ସରକାରଙ୍କର ବିଚାରକୁ ଦର୍ଶାଏ ନାହିଁ। ଆମର ସଭ୍ୟତାଗତ ଅଭ୍ୟାସ ଓ ବିବିଧତା ମଧ୍ୟରେ ଏକତାର ମଜଭୁତ ସଂସ୍କୃତି ପରମ୍ପରା ଅନୁସାରେ ଭାରତ ସରକାର ସମସ୍ତ ଧର୍ମକୁ ଅନୁରୁପ ସମ୍ମାନ ଦିଅନ୍ତି।

ଘଟଣା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରଦୂତ କହିଛନ୍ତି ଯେ କତାରରେ ଏହି ସମ୍ପର୍କରେ ଏକ ବୈଠକ ହୋଇଛି। ଯେଉଁଥିରେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଏଥିରେ ଭାରତ ମଧ୍ୟ ଉତ୍ତର ଦେଇଛି ଯେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କିଛି ସମୟ ପୂର୍ବରୁ ନୁପୁର ଶର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଥିଲା ବିଜେପି। କେବଳ ନୁପୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ଦିଲ୍ଲୀ ବିଜେପି ମିଡିଆ ଦାୟିତ୍ୱରେ ଥିବା ନଭୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବିଜେପି ହାଇ କମାଣ୍ଡ। ଦୁଇ ଜଣଙ୍କୁ ନିଲମ୍ବିତ କରିଥିଲେ। ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦେଇ ଦଳର ମହାସଚିବ ଅରୁଣ ସିଂହ କହିଥିଲେ ବିଜେପିକୁ ଏଭଳି ବିଚାର ସ୍ୱୀକାର୍ଯ୍ୟ ନୁହେଁ, ଯାହା ଅନ୍ୟ କୌଣସି ଧର୍ମର ଭାବନାକୁ ଆଘାତ ପହଞ୍ଚାଏ। ବିଜେପି ଏଭଳି ବିଚାରକୁ ମାନେ ନାହିଁ କି ପ୍ରୋତ୍ସାହନ ଦିଏ ନାହିଁ ବୋଲି ଅରୁଣ ସିଂହ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.