ଭାରତ ଓ ପାକିସ୍ତାନ ପରସ୍ପରକୁ ସୂଚିତ କଲେ ନିଜନିଜର ପରମାଣୁ କ୍ଷମତା, ଖାସ୍ ଏଥି ଯୋଗୁ ପ୍ରତିବର୍ଷ ଦିଆଯାଉଛି ସୂଚନା

Published By : Prameya-News7 Bureau | January 01, 2023 IST

ନୂଆଦିଲ୍ଲୀ ୧।୧: କ୍ଷେପଣାସ୍ତ୍ର ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର କୌଣସି ଦେଶପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏ ସବୁ କେଉଁଠି ରହିଛି ସେ ସମ୍ପର୍କରେ ସୂଚନା ପ୍ରାୟ ଗୋପନ ରଖାଯାଏ। ତେବେ ସମୟ ସମୟ ଏପରି ସୂଚନା ସାର୍ବଜନିକ ମଧ୍ୟ କରାଯାଏ। ଯେଉଁଥିରେ ଅସ୍ତ୍ରଶସ୍ତ୍ର କେଉଁଠି ରହିଛି ସୂଚନା ଦେବାକୁ ହୋଇଥାଏ। ପ୍ରତିବର୍ଷ ଜାନୁୟାରୀ ୧ ତାରିଖ ଦିନ ଭାରତ ଓ ପାକିସ୍ତାନ ପରସ୍ପରକୁ ସେମାନଙ୍କ ଅଣୁଅସ୍ତ୍ରର ସୂଚନା ଆଦାନପ୍ରଦାନ କରନ୍ତି।

ରବିବାର ଭାରତ ଓ ପାକିସ୍ତାନ ପରସ୍ପରକୁ ସେମାନଙ୍କ ପରମାଣୁ ପ୍ରତିଷ୍ଠାନର ସୂଚୀ ଆଦାନପ୍ରଦାନ କରିଛନ୍ତି। ଯଦି ଯୁଦ୍ଧ ହୁଏ ତେବେ ଉଭୟ ଦେଶ ପରସ୍ପରର ଆଣବିକ ଠିକଣା ଉପରେ ଆକ୍ରମଣ କରିବେନାହିଁ ଏହାହିଁ ଏହି ସୂଚନା ଆଦାନ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ଯ। ଏଥିଲାଗି ଗତ ୩ ଦଶନ୍ଧୀରୁ ଅଧିକ ସମୟ ହେଲା ଦୁଇ ଦେଶ ପରସ୍ପରକୁ ସେମାନଙ୍କ ଆଣବିକ କେନ୍ଦ୍ରର ସୂଚନା ଦେଇ ଆସୁଛନ୍ତି।

ବିଦେଶ ମନ୍ତ୍ରାଳୟଙ୍କ ସୂଚନା ଅନୁଯାୟୀ ୩୧ ଡିସେମ୍ବର ୧୯୮୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଣବିକ ପ୍ରତିଷ୍ଠାନ ଓ ଫ୍ୟାସେଲିଟି ଉପରେ ଅକ୍ରମଣ ନ କରିବା ଲାଗି ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ଦୁଇ ଦେଶଙ୍କୁ ସେମାନଙ୍କ ଆଣବିକ ଠିକଣାର ସୂଚନା ଦେବାକୁ ପଡୁଛି।

ବୁଝାମଣା ପତ୍ରର ଆର୍ଟିକ୍ଲ-୨ ଅନୁସାରେ ଦୁଇ ଦେଶ ପ୍ରତିବର୍ଷ ଜାନୁୟାରୀ ୧ ତାରିଖରେ ପରମାଣୁ ପ୍ରତିଷ୍ଠାନର ସୂଚି ଅଦଳବଦଳ କରିଥାନ୍ତି। ୧ ଜାନୁୟାରୀ ୧୯୯୨ ମସିହା ପରଠାରୁ ଏପରି ସୂଚନା ଆଦାନପ୍ରଦାନ ହୋଇ ଆସୁଛି। ବୁଝାମଣା ଅନୁସାରେ ପାକିସ୍ତାନରେ ପରମାଣୁ ପ୍ରତିଷ୍ଠାନ ଓ ଫ୍ୟାସେଲିଟିର ସୂଚୀ ରବିବାର ଇସ୍ଲାମାବାଦରେ ଭାରତୀୟ ଉଚ୍ଚାୟୋଗଙ୍କ ପ୍ରତିନିଧିଙ୍କୁ ଅଧିକାରୀକ ଭାବେ ପ୍ରଦାନ କରାଯାଇଛି। ଏପଟେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ନୂଆ ଦିଲ୍ଲୀରେ ପାକିସ୍ତାନ ଉଚ୍ଚାୟୋଗଙ୍କ ପ୍ରତିନିଧିଙ୍କୁ ପରମାଣୁ ପ୍ରତିଷ୍ଠାନ ଓ ଫ୍ୟାସେଲିଟିର ସୂଚୀ ପ୍ରଦାନ କରାଯାଇଛି।

ଏହି ସୂଚୀ ସହ ଭାରତ ଓ ପାକିସ୍ତାନ ସେମାନଙ୍କ ଜେଲରେ ବନ୍ଦୀ ଉଭୟ ଦେଶଙ୍କ ନାଗରିକଙ୍କ ସୂଚୀ ମଧ୍ୟ ନେଣଦେଣ ହୋଇଛି। ସୂଚନା ଅନୁସାରେ ଭାରତୀୟ ଜେଲରେ ୩୩୯ ପାକ୍ ନାଗରିକ ଓ ୯୫ ମତ୍ସ୍ୟଜୀବୀ ବନ୍ଦୀ ଥିବା କୁହାଯାଇଛି। ସେପଟେ ପାକିସ୍ତାନ ନିଜ ଜେଲରେ ୫୧ ନାଗରିକ ଓ ୬୫୪ ମତ୍ସ୍ୟଜୀବିଙ୍କୁ ବନ୍ଦୀ ରଖିଥିବା କହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.