ଭାରତ ଓ ପାକ୍ ପରସ୍ପରକୁ ଦେଲେ ବନ୍ଦୀ ନାଗରିକ ଏବଂ ମତ୍ସ୍ୟଜୀବୀଙ୍କ ସୂଚୀ

Published By : Prameya-News7 Bureau | January 01, 2020 IST

ନୂଆଦିଲ୍ଲୀ ୧।୧:  ଭାରତ ଓ ପାକ୍ ୨୦୦୮ ବୁଝାମଣା ଅନୁସାରେ ବୁଧବାର ପରସ୍ପରକୁ ଦେଶର ବିଭିନ୍ନ ଜେଲରେ ବନ୍ଧକଥିବା ସେମାନଙ୍କ ଦେଶର ନାଗରିକଙ୍କ ସୂଚୀ ଆଦାନ ପ୍ରଦାନ କରିଛନ୍ତି। ଏଥିରେ ଭାରତର ବିଭିନ୍ନ କାରାଗାରରେ ବନ୍ଦୀ ୨୬୭ ପାକିସ୍ତାନୀ ନାଗରିକ ଓ ୯୯ ମତ୍ସ୍ୟଜୀବୀଙ୍କ ସୂଚୀ ପାକିସ୍ତାନକୁ ପ୍ରଦାନ କରାଯାଇଥିବା  ବେଳେ ପାକ୍ ବିଭିନ୍ନ ଜେଲରେ ଭାରତର ୫୫ ଜଣ ନାଗରିକ ଓ ୨୨୭ ଜଣ ମତ୍ସ୍ୟଜୀବୀଙ୍କୁ ବନ୍ଦୀ ରଖିଥିବା ସୂଚିତ କରିଛି।

ସେହିପରି ରାଜନୈତିକ ଚାନେଲ ମଧ୍ୟରେ ହୋଇଥିବା ଏହି ସୂଚନା ଆଦାନପ୍ରଦାନରେ ବନ୍ଦୀମାନଙ୍କ ତୁରନ୍ତ ମୁକ୍ତିଲାଗି ଉଭୟ ପରସ୍ପରକୁ ସହାୟତା ପ୍ରଦାନ ତ୍ୱରାନ୍ୱୀତ କରିବାକୁ ବି ନିବେଦନ କରିଛନ୍ତି। ଏଥିଲାଗି ସେମାନେ ଆବଶ୍ୟକ କରୁଥିବା ବିଭିନ୍ନ ସାହାଯ୍ୟ ଓ ସହଯୋଗ ସମ୍ପର୍କରେ ମଧ୍ୟ ଜଣାଇଦେଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏ ସନ୍ଦର୍ଭରେ ଜାରି ଏକ ବିଜ୍ଞପ୍ତିରେ ପାକ୍ ଜେଲରେ ବନ୍ଦୀ ଭାରତୀୟ ନାଗରିକ ଓ ମତ୍ସ୍ୟଜୀବୀଙ୍କ ମୁକ୍ତି ଲାଗି ସେମାନଙ୍କୁ ତୁରନ୍ତ କନସୁଲାର ଆକ୍ସେସ୍ ଦେବାକୁ କୁହାଯାଇଛି।

ସେହିପରି ଅଟକ ଭାରତୀୟ ବନ୍ଦୀଙ୍କ ମାନସିକ ସୁସ୍ଥତା ଯାଞ୍ଚ ଲାଗି ପଡୋଶୀ ଦେଶର ଚିକିତ୍ସା ବିଶେଷଜ୍ଞଙ୍କ ଟିମ୍‌କୁ ଭିସା ପ୍ରଦାନ ଓ ସେମାନଙ୍କୁ ସୁବିଧାରେ ପାକିସ୍ତାନ ଯିବା ଲାଗି ଅନୁମତି ପ୍ରଦାନ ନିମନ୍ତେ ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ମତ୍ସ୍ୟଜୀବୀଙ୍କ ଜବତ ଡଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ ଫେରାଇବାକୁ ବି ପରସ୍ପରକୁ ନିବେଦନ କରିଛନ୍ତି। ୨୦୦୮ ମସିହାର ଏହି ବୁଝାମଣା ଅନୁସାରେ ପ୍ରତିବର୍ଷ ଜାନୁୟାରୀ ପହିଲା ଓ ଜୁଲାଇ ପହିଲାରେ ଉଭୟ ଦେଶ ପରସ୍ପରକୁ ସେମାନଙ୍କ ଦେଶରେ ଉଭୟ ଦେଶର ବନ୍ଦୀଙ୍କ ସୂଚନା ଆଦାନପ୍ରଦାନ କରିଆସୁଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.