ନୂଆଦିଲ୍ଲୀ ୨୦।୭: ଗତ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା କାଳରେ ପାକିସ୍ତାନର ସରଗୋଧା ଜିଲ୍ଲାରେ ଥିବା କିରାନା ହିଲସ୍ କ୍ଷେପଣାସ୍ତ୍ର ଆକ୍ରମଣର ଟାର୍ଗେଟ ହୋଇଥିଲା। କିରାନା ହିଲସ୍ ସେହି ଅଞ୍ଚଳ ଯେଉଁଠି ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ରଖେ ବୋଲି କୁହାଯାଏ। ଜୁନ ୨୦୨୫ରେ ଗୁଗଲ ଆର୍ଥ ରୁ ନିଆଯାଇଥିବା ଛବିରେ ଅଞ୍ଚଳରେ ମିଜାଇଲ ଆକ୍ରମଣକୁ ପୁଷ୍ଟି କରିଛି। ଏହି ଛବିକୁ ସାଟେଲାଇଟ ଇମେଜରୀ ବିଶେଷଜ୍ଞ ଡେମିୟନ ସାଇମନ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଏହି ଚିତ୍ରରେ ଅପରେସନ ସିନ୍ଦୂର କାଳରେ ଭାରତର ମିଜାଇଲ ଆକ୍ରମଣର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି। ଏହା ସହିତ ସରଗୋଧା ବାୟୁସେନା ଘାଟିର ରନୱେ ମରାମତି ଛବି ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଉପଗ୍ରହ ଛବିରୁ ଦେଖାଯାଇଥିବା ଚିତ୍ର ବାସ୍ତବିକ୍ ଚମକାଇବା ଭଳି, କାରଣ ଭାରତୀୟ ବାୟୁସେନା ଅପରେସନର ସୂଚନା ଦେବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିରାନା ହିଲସ୍ ସ୍ଥିତ ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ କରାଯିବା କଥା ସାର୍ବଜନିକ ରୂପେ ଅସ୍ୱୀକାର କରିଥିଲା।
ତେବେ ସାଇମନ ଦୁଇଟି ଛବି ସେୟାର କରି ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଥମ ଛବି ସମ୍ପର୍କରେ ସେ ଲେଖିଛନ୍ତି ଯେ ମେ ୨୦୨୫ରେ କିରାନା ହିଲସ୍ ଉପରେ ଭାରତୀୟ ଆକ୍ରମଣରେ ପ୍ରଭାବିତ ସ୍ଥାନ। ଏଥିରେ ଜନୈକ ୟୁଜର ପ୍ରଶ୍ନରେ ପଚାରିଛନ୍ତି ଯେ ଭାରତୀୟ ମିଜାଇଲର ଆକ୍ରମଣ ସୁଡଙ୍ଗର ଗଭୀରତାରେ ହୋଇଥିବାର କୌଣସି ସୂଚନା ମିଳୁଛି କି? ଏହାର ଜବାବରେ ସାଇମନ କହିଛନ୍ତି ନା ଏହା ଓ ପୂର୍ବ ଛବିରୁ କୌଣସି ଭୂମିଗତ ପ୍ରଭାବ ଅଥବା ଅନୁପ୍ରବେଶର ସଂକେତ ମିଳୁ ନାହିଁ।
Imagery update from Google Earth of the Sargodha region, Pakistan, captured in June 2025, shows -
— Damien Symon (@detresfa_) July 18, 2025
1 - the impact location of India's strike on Kirana Hills in May 2025
2 - repaired runways at Sargodha airbase post India's strikes in May 2025 pic.twitter.com/BLOXYB9fKP
ସେ ଲେଖିଛନ୍ତି ଯେ ଏହା ଏକ ପାହାଡ ଓ ଏହାର ପାଖଆଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନାହିଁ। ଏଣୁ ଭାରତ ପକ୍ଷରୁ ଏହା ଏକ ଚେତାବନୀ ଆକ୍ରମଣ ହୋଇଥାଇପାରେ। ତେବେ ସରଗୋଧା ବାୟୁସେନା ଘାଟିର ରନୱେ ମରାମତି ହେଉଥିବାରୁ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଏହି ବାୟୁସେନାଘାଟି ପାକିସ୍ତାନ ସେନା ନିମନ୍ତେ ଉଚ୍ଚ ପ୍ରାଥମିକତା ସମ୍ପନ୍ନ ରଣନୈତିକ ସ୍ଥାନ ହୋଇପାରେ। ପାକିସ୍ତାନ ସରଗୋଧା ଜିଲ୍ଲାସ୍ଥିତ କିରାନା ହିଲସ୍ କୁ ପାକିସ୍ତାନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମର ଗଡ଼ ମନେ କରାଯାଏ। ଏଠାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ ଫାସେଲିଟି, ସୁଡ଼ଙ୍କ ଓ ରାଡାର ଷ୍ଟେସନ ଥିବାର କୁହାଯାଏ।
ଏହା ଛଡା ୧୯୮୦ ଦଶକରେ ଏଠାରେ ପାକିସ୍ତାନ ପରମାଣୁ ପରୀକ୍ଷଣ ମଧ୍ୟ କରିଥିଲା। ଏହା ବ୍ୟତୀତ ନିକଟରେ ସରଗୋଧା ବାୟୁସେନା ଘାଟି ଥିବାରୁ ଏହାର ମହତ୍ୱ ଆହୁରି ବଢିଯାଏ। ଭାରତ ଆତଙ୍କବାଦୀଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ନୃଶଂସ ହତ୍ୟା ଜବାବରେ ୬ଓ ୭ ମେ ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହା ପରେ ପାକିସ୍ତାନ ୯ ଓ ୧୦ ମେ ରାତିରେ ଭାରତ ଉପରେ ଆକ୍ରମଣ କରିଥିଲା, ଯାହାର ଜବାବରେ ଭାରତ ୧୫ ବ୍ରହ୍ମୋସ ମିଜାଇଲ ଓ ଅନ୍ୟ ସଠିକ ଅସ୍ତ୍ରରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଫଳରେ ପାକିସ୍ତାନର ୧୩ରୁ ୧୧ଟି ପ୍ରମୁଖ ବାୟୁସେନାଘାଟି ନଷ୍ଟ ହୋଇଯାଇଥିଲା।
ଏଥିରେ ଏହି ତାଜା ଅପଡେଟ ଏ କଥା ପୁଷ୍ଟି କରୁଛି ଯେ ଭାରତ ଅପରେସନ ସିନ୍ଦୂର କାଳରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଆକ୍ରମଣ କରିବାରେ ସକ୍ଷମ ହୋଇଥିଲା।