ଭାରତ-ଦ. ଆଫ୍ରିକା ଟେଷ୍ଟ : ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ ଟିମ୍‌ ଇଣ୍ଡିଆ, ଲୁଙ୍ଗି ଏନ୍‌ଗିଡିଙ୍କୁ ୬ ଓ୍ବିକେଟ୍‌

Published By : Prameya-News7 Bureau | December 28, 2021 IST

ସେଞ୍ଚୁରିୟନ ୨୮/୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ ହୋଇଛି ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ଟେଷ୍ଟରେ ଦ୍ବିତୀୟ ଦିନ ଆଦୌ ଖେଳ ସମ୍ଭବପର ହୋଇନଥିଲା । ପ୍ରଥମ ଦିନ ଖେଳ ୨୭୧/୩ ରୁ ତୃତୀୟ ଦିନ ମୋଟ ୧୦୫.୩ ଓଭରରେ ଦଳ ୩୨୭ ରନକରି ଅଲଆଉଟ ହୋଇଯାଇଛି । ତୃତୀୟ ଦିନ ଆରମ୍ଭରୁ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତୀୟ ଦଳ । ଶତକୀୟ ଇନିଂସ ଖେଳି ବ୍ୟାଟିଂ କରୁଥିବା ଲୋକେସ ରାହୁଲ ଆରମ୍ଭରୁ ଓ୍ବିକେଟ ହରାଇଥିଲେ । ଏହାପରେ ଦଳର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ ପ୍ୟାଭିଲିୟନ ଫେରିଥିଲେ । ୨୭୧ ରନରେ ୩ ଓ୍ବିକେଟ ହରାଇଥିବା ଦଳ ତୃତୀୟ ଦିନ​‌ରେ ମାତ୍ର ୫୬ରନରେ ୭ଟି ଓ୍ବିକେଟ ହରାଇଛି ।

ଦଳ ପକ୍ଷରୁ ଲୋକେସ ରାହୁଲ ସର୍ବାଧିକ ୧୨୩ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୬୦ରନ କରିଛନ୍ତି । ଫର୍ମ ପାଇଁ ସଂଘର୍ଷ କରୁଥିବା ପୁଜାରା ପୁଣି ଫେଲ ମାରିଛନ୍ତି । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି ପୁଜାରା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୩୫ରନ କରିଥିବା ବେଳେ, ଅଜିଙ୍କ୍ୟ ରାହାଣେ ୪୮ରନ, ଋଷଭ ପନ୍ତ ୮ରନ, ରବିଚନ୍ଦ୍ରନ ଅଶ୍ବିନ ୪ରନ, ଶାର୍ଦ୍ଦୁଳ ଠାକୁର ୪ରନ, ମହମ୍ମଦ ସାମୀ ୮ରନ, ବୁମରାହ ୧୪ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସିରାଜ ୪ ରନ କରି ଅପରାଜିତ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ଏବଂ କାଗିସୋ ରାବାଡା ଚମତ୍କାର ବୋଲିଂ କରିଛନ୍ତି । ଏନ୍‌ଗିଡି ୨୪ ଓଭରରେ ୭୧ରନ ଦେଇ ୬ଓ୍ବିକେଟ ନେଇଥିବା ବେଳେ, କାଗିସୋ ରାବାଡା ୨୬ ଓଭରରେ ୭୨ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ମାର୍କୋ ଜନସେନ୍‌ ୧୮.୩ ଓଭରରେ ୬୯ରନଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଓ୍ବୟାନ୍‌ ମଲ୍‌ଡର ୧୯ ଓଭରରେ ୪୯ରନ ଏବଂ କେଶବ ମହାରାଜ ୧୮ ଓଭରରେ ୫୮ରନ ଦେଇଛନ୍ତି ।

ରିପୋର୍ଟ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି । ଦଳ ୩ ଓଭରରେ ୧୦ରନଦେଇ ଗୋଟିଏ ଓ୍ବିକେଟ ହରାଇଛି । ଡିନ୍‌ ଏଲଗାର ମାତ୍ର ୧ ରନକରି ଆଉଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.