ପଶ୍ଚିମ ଦେଶମାନଙ୍କର ଡାର୍ଲିଂ ଭାରତ, ହେଲେ ପଡ଼ୋଶୀ ପାଇଁ ଯୁଦ୍ଧମନସ୍କ: ପାକିସ୍ତାନ ମନ୍ତ୍ରୀ ହୀନା ରବ୍ବାନୀ ଖର

Published By : Prameya-News7 Bureau | August 02, 2023 IST

ଇସ୍‌ଲମାବାଦ: ପଶ୍ଚିମ ଦେଶମାନଙ୍କ ସହିତ ଭାରତର ବଢ଼ୁଥିବା ସମ୍ପର୍କକୁ ନେଇ ଈର୍ଷାରେ ଜଳୁଛି ପାକିସ୍ତାନ। ଗୋଟିଏ ପଟେ ଭାରତର ଲୋକପ୍ରିୟତା ବଢ଼ୁଛି ଅନ୍ୟପଟେ ପାକିସ୍ତାନ କେବଳ ଚୀନ କୋଳରେ ବଶିଛି।

ତେଣୁ ଭାରତର ଏଭଳି ସଫଳତାକୁ ଦେଖି ଚିହିଁକି ଉଠିଛନ୍ତି ପାକିସ୍ତାନ ବୈଦେଶିକ ଉପମନ୍ତ୍ରୀ ହିନା ରବ୍ବାନୀ ଖର। ଭାରତ ପଶ୍ଚିମ ଦେଶମାନଙ୍କର ଡାର୍ଲିଂ(ପ୍ରିୟତମା) ବୋଲି କହି ସେ ତିରସ୍କାର କରିଛନ୍ତି। ଏଥିସହିତ ପଡ଼ୋଶୀଙ୍କ ପ୍ରତି ଭାରତର ବୈମାତୃକ ମନଭାବ ରହିଛି ବୋଲି ଅଭିଯୋଗ କରିଛନ୍ତି ହୀନା।

ମଙ୍ଗଳବାର(ଅଗଷ୍ଟ ୧) ଇସଲାମାବାଦରେ ଆୟୋଜିତ ପାକିସ୍ତାନ ଗଭର୍ନାନ୍ସ ଫୋରମ୍ ୨୦୨୩ରେ ଭାଷଣ ଦେଇ ଭାରତ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି ହୀନା। ଭାରତ କେବଳ କିଛି ନିର୍ଦ୍ଦିଷ୍ଟ ଦେଶ ପାଇଁ ନିଜକୁ ଖୋଲା ରଖିଛି ବୋଲି ହୀନା କହିଛନ୍ତି।

ସେ କହିଛନ୍ତି “ପଶ୍ଚିମାଞ୍ଚଳ ପାଇଁ ଭାରତ ପ୍ରିୟତମା ହୋଇ ରହିବାକୁ ଚାହୁଁଛି। ହେଲେ ନିଜ ସୀମା ନିକଟରେ ରହୁଥିବା ଦେଶ ପାଇଁ ଭାରତ ଖୁବ୍ ଯୁଦ୍ଧମନସ୍କ ହେଉଛି। ଏହା ଏମିତି ଏକ ଦେଶ ଯିଏ କିଛି ନିର୍ଦ୍ଦିଷ୍ଟ ଦେଶ ପାଇଁ ଖୋଲା ରହିବାକୁ ଚାହୁଁଛି। କିନ୍ତୁ ନିଜ ଲୋକ ଓ ନିଜ ସୀମା ନିକଟରେ ଥିବା ଲୋକଙ୍କ ପାଇଁ ଭାରତ ନିଜକୁ ବନ୍ଦ ରଖିଛି।”

ପଢ଼ନ୍ତୁ-ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ ଯୁଦ୍ଧ ବିକଳ୍ପ ନୁହେଁ, ଭାରତ ସହ ଆଲୋଚନା ଲାଗି ପ୍ରସ୍ତୁତ

ବିଶେଷ କରି ଆମେରିକା ସହିତ ଭାରତର ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ରହୁଥିବାରୁ ସହିପାରୁନି ପାକିସ୍ତାନ। ସେହିପରି ଚୀନ ଓ ପାକିସ୍ତାନ ସହିତ ଭାରତର ସମ୍ପର୍କ ଭଲ ନାହିଁ।

କାହିଁକି ସୁଧୁରିପାରୁନି ଭାରତ-ପାକିସ୍ତାନ ସମ୍ପର୍କ ?

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ନ ସୁଧୁରିବାର ଦୁଇଟି ମୁଖ୍ୟ କାରଣ ହେଉଛି ସୀମା ପାର୍ ଆତଙ୍କବାଦୀ ଓ କାଶ୍ମୀର ସମସ୍ୟା। ପାକିସ୍ତାନ ପଟୁ ଆତଙ୍କବାଦୀମାନେ ବାରମ୍ବାର ଭାରତରେ ପଶି ହିଂସା ସୃଷ୍ଟି କରୁଛନ୍ତି। ତେଣୁ ଆତଙ୍କବାଦ ବନ୍ଦ ନହେଲେ ପାକିସ୍ତାନ ସହିତ କୌଣସି ଆଲୋଚନା ହେବନି ବୋଲି ଭାରତ ସରକାରଙ୍କର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି।

ଚଳିତ ବର୍ଷ ଜାନୁଆରୀ ମାସରେ ପାକିସ୍ତାନ ସହିତ ସମ୍ପର୍କକୁ ନେଇ ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ। ସେ କହିଥିଲେ “ଆମେ ପାକିସ୍ତାନ ସହିତ ଏମିତି ଏକ ପରିବେଶରେ ପଡ଼ୋଶୀ ଭଳି ସମ୍ପର୍କ ରଖିବାକୁ ଚାହିବୁ ଯେଉଁଥିରେ ସେ ଶତ୍ରୁତା, ହିଂସା ଓ ଆତଙ୍କବାଦରୁ ମୁକ୍ତ ଥିବ।”

ପଢ଼ନ୍ତୁ-ରାଜନାଥଙ୍କ ବୟାନ୍‌ରେ ରାଗିଲା ପାକିସ୍ତାନ; କହିଲା- ଏଭଳି ମନ୍ତବ୍ୟ ନ ଦେଉ ଭାରତ, ଆମେ ବି ଜବାବ ଦେବାକୁ ସମର୍ଥ

ଚୀନ ସହିତ ବି ଭାରତର ସୀମା ବିବାଦ ରହିଛି। ମେ ୨୦୨୦ ଲଦାଖର ଗଲୱାନ ଘାଟିରେ ଭାରତ ଚୀନ ମଧ୍ୟରେ ହୋଇଥିବା ଅସ୍ତ୍ର ରହିତ ଯୁଦ୍ଧ ଦୁଇ ଦେଶ ସମ୍ପର୍କକୁ ଆହୁରି ଖରାପ କରିଦେଉଛି। ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଦେଶର ଅଂଶ ବୋଲି ଭାବୁଥିବା ବେଳେ ମଝିରେ ମଝିରେ ସେମାନଙ୍କ ନାଗରିକଙ୍କ ପାଇଁ ଷ୍ଟାପଲ ଭିଜା ପ୍ରଦାନ କରିବା, ନକ୍ସାରେ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦର୍ଶାଇବା ଓ ଜାତିସଂଘରେ ଭିଟୋ ପାୱାର ବ୍ୟବହାର କରି ଭାରତର ସ୍ଥାୟୀ ସଦସ୍ୟ ରାସ୍ତାରେ କଣ୍ଟା ସାଜିବା ଆଦି କାରଣରୁ ଚୀନ ଓ ଭାରତର ସମ୍ପର୍କ ଭଲ ନାହିଁ।

ପଢ଼ନ୍ତୁ-ଦରକାର ପଡ଼ିଲେ ଆମେ ଏଲ୍‌ଓସି ସୀମା ରେଖା ଡେଇଁବୁ: ସେନାକୁ ସହଯୋଗ କରିବାକୁ ଜନତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ୱାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.