Ind Vs Eng: ପନ୍ତଙ୍କ ବିସ୍ଫୋରକ ସ୍ମରଣୀୟ ଶତକ, ପ୍ରଥମ ଦିନରେ ସୁବିଧାଜନକ ସ୍ଥିତିରେ ଭାରତ
1/07/2022 at 11:59 PM

ବର୍ମିଂଘମ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଭାରତ ଋଷଭ ପନ୍ତଙ୍କ ବିସ୍ଫୋରକ ସ୍ମରଣୀୟ ଶତକ ଏବଂ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ସମ୍ମାନ ରକ୍ଷା କରିବା ସହ ମଜବୁତ ସ୍ଥିତିରେ ରହିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ଓ୍ଵିକେଟ୍ ହରାଇ ୩୩୮ ରନ କରିଛି। ଜାଡେଜା ୮୩ ରନ ଏବଂ ମହମ୍ମଦି ଶାମି ୦ ରନରେ ଅପରାଜିତ ଅଛନ୍ତି। ପ୍ରଥମ ଦିନର ଖେଳ ଋଷଭ ପନ୍ତଙ୍କ ନାମରେ ରହିଛି। ପନ୍ତ ମାତ୍ର ୧୧୧ ବଲରୁ ୧୪୬ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ପନ୍ତ ଏବଂ ଜାଡେଜା ଷଷ୍ଠ ଓ୍ଵିକେଟରେ ୨୨୨ ରନ ଯୋଡି ଭାରତକୁ ପ୍ରଥମ ଦିନରେ ସୁବିଧାଜନକ ସ୍ଥିତିରେ ରଖିଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୨୭ ରନ ସ୍କୋରରେ ଶୁଭମାନ ଗିଲ୍ ୧୭ ରନ କରି ଆଉଟ୍ ହୋଇଥିଲେ। ଚେତେଶ୍ଵର ପୂଜାରା(୧୩) ନିରାଶ କରିଥିଲେ। ହନୁମା ବିହାରୀ(୨୦) ଭଲ ଆରମ୍ଭ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଭାରତକୁ ସବୁଠୁ ବଡ ଝଟକା କୋହଲିଙ୍କ ରୂପେ ଲାଗିଥିଲା। ବିରାଟ ନିଜର ଖରାପ ଫର୍ମ ବଜାୟ ରଖି ୧୧ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର(୧୫) ବି କିଛି ଖାସ୍ କରି ପାରିନଥିଲେ। ଭାରତ ୯୮ ରନରେ ନିଜର ଅଧା ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଜେମ୍ସ ଆଣ୍ଡରସନ ୩ ଓ୍ଵିକେଟ୍ ନେଇ ଭାରତକୁ ଚାପରେ ରଖିଥିଲେ। ଲାଗୁଥିଲା ଭାରତ ୧୫୦ ରନ କରିବା ମୁସ୍କିଲ।
ତେବେ ଋଷଭ ପନ୍ତ କ୍ରିଜକୁ ଓହ୍ଲାଇବା ମାତ୍ରେ ଦିନିକିଆ ଶୈଳୀରେ ବ୍ୟାଟିଂ କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ରବୀନ୍ଦ୍ର ଜାଡେଜା। ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଜାଡେଜା ଦେଖିଚାହିଁ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଇଂଲଣ୍ଡ ବୋଲରଙ୍କ ଦୃଢ ମୁକାବିଲା କରି ଭାରତକୁ ସଙ୍କଟଜନକ ସ୍ଥିତିରୁ ଉଧାର କରିଥିଲେ। ପନ୍ତ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ମାତ୍ର ୮୯ ବଲରୁ ଟେଷ୍ଟ କ୍ୟାରିୟରରେ ପଞ୍ଚମ ଶତକ ପୂରଣ କରିଥିଲେ। ସେ ଏବଂ ଜାଡେଜା ଷଷ୍ଠ ଓ୍ଵିକେଟରେ ୨୨୨ ରନ ଯୋଡି ଭାରତର ସ୍କୋରକୁ ୩୨୦ରେ ପହଞ୍ଚାଇଥିଲେ।
୧୫୦ ରନ ଅଭିମୁଖେ ଗତି କରୁଥିବା ପନ୍ତଙ୍କୁ ଆଉଟ୍ କରି ଜୋ ରୁଟ୍ ଇଂଲଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ। ଋଷଭ ପନ୍ତ ମାତ୍ର ୧୧୧ ବଲରୁ ୨୦ ଚୌକା ଏବଂ ୪ ଛକା ଜରିଆରେ ୧୪୬ ରନର ସ୍ମରଣୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶାର୍ଦ୍ଦୁଳ ଠାକୁର ୧ ରନ କରିଥିଲେ। ଅନ୍ୟପଟେ କ୍ରିଜରେ ଜମି ରହିଥିବା ଜାଡେଜା ଅର୍ଦ୍ଧଶତକ ହାସଲ କରି ଅନ୍ୟପଟୁ ମୋର୍ଚ୍ଚା ସମ୍ଭାଳିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ଓ୍ଵିକେଟ୍ ହରାଇ ୩୩୮ ରନ କରିଛି। ଜାଡେଜା ୮୩ ରନ ଏବଂ ମହମ୍ମଦି ଶାମି ୦ ରନରେ ଅପରାଜିତ ଅଛନ୍ତି।
ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୫୨ ରନ କରି ୩ ଓ୍ଵିକେଟ୍ ନେଇଥିବା ବେଳେ ମାଟି ପୋଟ୍ସ ୮୫ ରନ ଦେଇ ୨ ଓ୍ଵିକେଟ୍ ନେଇଛନ୍ତି। ବେନ ଷ୍ଟୋକ୍ସ ଏବଂ ଜୋ ରୁଟ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।