ଶତକରୁ ବଞ୍ଚିତ ହେଲେ ପୂଜାରା, ପ୍ରଥମ ଦିନରେ ଭାରତର ସ୍କୋର ୨୭୮/୬

Published By : Prameya-News7 Bureau | December 14, 2022 IST

ଚଟ୍ଟଗାଓଁ: ଚଟ୍ଟଗାଓଁର ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ପ୍ରଥମ ଦିନ ଉଭୟ ବ୍ୟାଟସମ୍ୟାନ ଏବଂ ବୋଲର ସମାନ ପ୍ରଦର୍ଶନ କରିଛନ୍ତି। ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୨୭୮ ରନ କରିଛି। କ୍ରିଜରେ ଶ୍ରେୟସ ଆୟର ଅପରାଜିତ ୮୨ ରନ କରିଛନ୍ତି। ଅକ୍ଷର ପଟେଲଙ୍କ ଆଉଟ୍ ସହ ପ୍ରଥମ ଦିନର ଖେଳ ସଂପନ୍ନ ହୋଇଛି। ଚେତେଶ୍ଵର ପୂଜାରା ୯୦ ରନ କରି ଶତକରୁ ବଞ୍ଚିତ ହୋଇଥିବା ବେଳେ ଋଷଭ ପନ୍ତ ୪୬ ରନ କରିଛନ୍ତି। ବାଂଲାଦେଶ ପକ୍ଷରୁ ତାଇଜୁଲ ଇସଲାମ ୮୪ ରନରେ ୩ ଏବଂ ମେହଦି ହାସନ ମିର୍ଜା ୭୧ ରନରେ ୨ଟି ସଫଳତା ପାଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ତିନି ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇଛି।

ପ୍ରଥମ ଓ୍ଵିକେଟ୍‌ରେ କେଏଲ ରାହୁଲ ଏବଂ ଶୁଭମାନ ଗିଲ୍‌ ୪୧ ରନ ଯୋଡିଥିଲେ। ଗିଲ୍(୨୦) ପ୍ରଥମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ତେବେ ଏହାର ଚାରି ରନ ପରେ ଅର୍ଥାତ ୪୫ ରନ ସ୍କୋରରେ ଅଧିନାୟକ ରାହୁଲ ୨୨ ରନ କରି ପାଭିଲିୟନ ଫେରିଥିଲେ। ତେବେ ଫର୍ମରେ ଥିବା ବିରାଟ କୋହଲ(୧ ରନ) ଆଉଟ୍ ହେବା ଭାରତକୁ ବଡ ଝଟକା ଲାଗିଥିଲା।

ଏହା ପରେ ଋଷଭ ପନ୍ତ ଏବଂ ଚେତେଶ୍ଵର ପୂଜାରା ଭାରତର ଇନିଂସ ସମ୍ଭାଳିଥିଲେ। ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ପୂଜାରା ଏବଂ ପନ୍ତ ଚତୁର୍ଥ ଓ୍ଵିକେଟ୍‌ରେ ୬୪ ରନ  ଯୋଡି ଦଳକୁ ମୁସ୍କିଲ ସ୍ଥିତିରୁ ବାହାର କରିଥିଲେ। ପନ୍ତ ୪୫ ବଲ୍‌ରୁ ୬ ଚୌକା ଏବଂ ୨ ଛକା ସହ ୪୬ ରନ ଆଉଟ୍ ହୋଇଥିଲେ। ଏହା ପରେ ପୂଜାରା ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଏବଂ ଶ୍ରେୟସ ପଞ୍ଚମ ଓ୍ଵିକେଟ୍‌ରେ ୧୪୯ ରନ ଯୋଡି ଦଳର ସ୍କୋରକୁ ୨୬୧ ରନରେ ପହଞ୍ଚାଇଥିଲେ। ତେବେ ଶତକ ଆଡକୁ ଗତି କରୁଥିବା ପୂଜାରା ବ୍ୟକ୍ତିଗତ ୯୦ ରନ ସ୍କୋରରେ ଆଉଟ୍ ହୋଇଥିଲେ। ଏଥିରେ ୧୧ ଚୌକା ସାମିଲ୍। ଅକ୍ଷର ପଟେଲ୍(୧୪) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ।  ତାଙ୍କ ଆଉଟ୍ ପରେ ପ୍ରଥମ ଦିନର ଖେଳ ସମାପ୍ତି ଘୋଷଣା କରାଯାଇଥିଲା। ଶ୍ରେୟସ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହିତ ୮୨ ରନ କରି ଅପରାଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.