ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକା ବୋଲରଙ୍କ ଶାଣିତ ବୋଲିଂ, ୧୪୮ ରନରେ ସୀମିତ ରହିଲା ଭାରତ

Published By : Prameya-News7 Bureau | June 12, 2022 IST

କଟକ: ପ୍ରଥମ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଭାରତୀୟ ବ୍ୟାଟସମ୍ୟାନଙ୍କ ଜଲୱା ବାରବାଟୀରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଦେଖିବାକୁ ମିଳିନାହିଁ । ଦକ୍ଷିଣ ଆଫ୍ରିକା ବୋଲରଙ୍କ ମାପୁଚପ ବୋଲିଂ ଯୋଗୁଁ ଭାରତ ବଡ ସ୍କୋର କରି ପାରିନାହିଁ । ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ଭାରତ ୧୪୮ ରନ କରିଛି । ଦଳ ପକ୍ଷରୁ ଶ୍ରେୟସ ଆୟର ୪୦ ରନ ଏବଂ ଇଶାନ କିଷନ ୩୪ ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ଅପରାଜିତ ୩୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୪୮ ରନ ଭିତରେ ଦକ୍ଷିଣ ଆଫ୍ରିକାକୁ ସୀମିତ ରଖିବାକୁ ପଡିବ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା । ଋତୁରାଜ ଗାଏକୱାଡ(୧) ବିଦାୟ ନେଇଥିଲେ । ଇଶାନ କିଷନ ଏବଂ ଶ୍ରେୟସ ଆୟର ଦ୍ୱିତୀୟ ୱିକେଟରେ ୪୫ ରନ ଯୋଡିଥିଲେ । ଭଲ ବ୍ୟାଟିଂ କରୁଥିବା ଇଶାନ କିଷନ ୨୧ ବଲରୁ ୨ ଚୌକା ଏବଂ ୩ ଛକା ସହ ୩୪ ରନ କରିଥିଲେ । ହେଲେ ଅଧିନାୟକ ଋଷଭ ପନ୍ତ(୫) ଆଉଟ୍ ହେବା ଭାରତକୁ ବଡ ଝଟକା ଲାଗିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା(୯) ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ ।  କ୍ରିଜରେ ସେଟ୍ ଥିବା ଶ୍ରେୟସ ଆୟର ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୯୮ ରନରେ ଅଧା ବ୍ୟାଟସମ୍ୟାନଙ୍କୁ ହରାଇଥିଲା ।

ଅକ୍ଷର ପଟେଲ୍ ୧୦ ରନ କରି ବିଦାୟ ନେଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଭାରତୀୟ ବ୍ୟାଟସମ୍ୟାନ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ । ବିଶେଷ କରି ମଧ୍ୟ ଭାଗରେ ଭାରତର ରନ ଗତି ଧିମେଇ ଯାଇଥିଲା । ଶେଷ ଆଡକୁ ଦିନେଶ କାର୍ତ୍ତିକ ବିସ୍ଫୋରଣ ବ୍ୟାଟିଂ କରିଥିଲେ । ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ କରି ପାରିଛି । ଶେଷ ଓଭରରେ ୧୮ ରନ ହେବାର ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି । କାର୍ତ୍ତିକ ୨୧ ବଲରୁ ୨ ଚୌକା ଏବଂ ୨ ଛକା ସହ ୩୦ ରନର ଅପରାଜିତ ଇନିଂସ ଖେଳିଛନ୍ତି । ହର୍ଷଲ ପଟେଲ୍ ୧୨ ରନ କରି ଅପରାଜିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.