ଶ୍ରୀଲଙ୍କା ସିରିଜ୍ ରଦ୍ଦ ହେବାର ଭୟ ଘାରିଲା ! ଖେଳାଳିଙ୍କ ଘରକୁ ଯିବା ଉପରେ ଲାଗିଲା କଟକଣା

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୦୬।୦୭: ଇଂଲଣ୍ଡ ଖେଳାଳି କରୋନା ପଜିଟିଭ୍ ହେବା ପରେ ଭାରତ ଓ ଶ୍ରୀଲଙ୍କା  ସିରିଜ୍ ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଏବେ ଏହି ସିରିଜ୍ କେମିତି ଆୟୋଜନ ହେବ ସେ ନେଇ ପ୍ରୟାସ ଆରମ୍ଭ ହୋଇ ଯାଇଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଇଂଲଣ୍ଡ ଗସ୍ତରୁ ଫେରିବାକୁ ଥିବା ସମସ୍ତ ଖେଳାଳିଙ୍କୁ ଘରକୁ ଯିବା ନେଇ କଟକଣା ଲଗାଇଛି। ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା ଦଳ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିଛି। ହେଲେ ଇଂଲଣ୍ଡର ତିନି ଖେଳାଳି ଏବଂ ୪ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ବୋର୍ଡ ପ୍ରତିଷେଧମୂଳକ ନିଜ ଖେଳାଳିଙ୍କୁ ଘରକୁ ପଠାଇବା ବଦଳରେ ଆଇସୋଲେସନରେ ରଖିବାକୁ ନିର୍ଣ୍ଣୟ ନେଇଛି।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଅଧିକାରୀଙ୍କ ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ୍ ଦଳ ଆଜି କଲୋମ୍ବୋରେ ପହଞ୍ଚିବେ। ଆରଟିପିସିଆର ଟେଷ୍ଟ ପରେ ଦ୍ଵିତୀୟ ବାୟୋ ବବଲରେ  ପ୍ରବେଶ କରିବେ। ରବିବାର ଗସ୍ତ ସମାପ୍ତ ହେବା ପରେ ବ୍ରିଟେନ୍‌ରେ ଖେଳାଳିଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି। ହେଲେ ଭାରତ ବିପକ୍ଷ ସିରିଜ୍‌କୁ ଆଉ ସମୟ ନାହିଁ। ତେଣୁ କୌଣସି ଖେଳାଳି ଏବେ ଆଉ ଘରକୁ ଫେରିବେ ନାହିଁ। ବବଲରୁ ବବଲରେ ରହିବେ। ଯଦି କିଏ ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ଟେଷ୍ଟିଂ ଓ ପୃଥକବାସ ନିୟମର ପାଳନ କରାଯିବ।

ଅନ୍ୟପଟେ ନିଜ ଦଳର ସଦସ୍ୟ କୋଭିଡ୍-୧୯ ପଜିଟିଭ୍ ହେବା ପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡକୁ ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ନୂତନ ଭାବେ ୧୮ ଜଣିଆ ଦଳ ଘୋଷଣା କରିବାକୁ ପଡିଛି।  ବେନ ଷ୍ଟୋକ୍ସଙ୍କୁ ଦଳର ଅଧିନାୟକ କରାଯାଇଛି। ପୂର୍ବରୁ ଘୋଷିତ ଦଳର ଜଣେ  ହେଲେ ଖେଳାଳିଙ୍କୁ ଜୁଲାଇ ୮ରୁ ଆରମ୍ଭ ହେଉଥିବା ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ଦଳରେ ଚୟନ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.