IND Vs SL: ଦିନିକିଆରେ କାହାର କେତେ ଦମ୍ ? ଜାଣନ୍ତୁ କେଉଁ ବ୍ୟାଟର ଏବଂ ବୋଲରଙ୍କ ରହିଛି ଦବଦବା
9/01/2023 at 4:10 PM

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଜାନୁଆରୀ ୧୦ରୁ ଆରମ୍ଭ ହେଉଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ୨-୧ରେ ହରାଇଛି। ଏବେ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ ରହିଛି। ଦିନିକିଆ ଦଳର ନେତୃତ୍ଵ ନେବେ ନିୟମିତ ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ଆହତ କାରଣରୁ ସେ ଟି-୨୦ ଶୃଙ୍ଖଳା ଖେଳି ପାରିନଥିଲେ। ଏବେ ସେ ସଂପୂର୍ଣ୍ଣ ଫିଟ୍ ହୋଇ ପଡିଆକୁ ଓହ୍ଲାଇବାକୁ ଯାଉଛନ୍ତି। ଚାଲନ୍ତୁ ଜାଣିବା ଦୁଇ ଦଳ ମଧ୍ୟରେ ଦିନିକିଆ ରେକର୍ଡ କେମିତି ରହିଛି।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋଟ୍ ୧୬୨ଟି ଦିନିକିଆ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଭାରତୀୟ ଦଳ ୯୩ଟି ଜିତିଥିବା ବେଳେ ଶ୍ରୀଲଙ୍କା ୫୭ ମୁକାବିଲା ଜିତିଛି। ୧୧ଟି ମ୍ୟାଚ୍ ମ୍ୟାଚ୍ର ଫଳାଫଳ ବାହାରିନଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ୧୯୭୯ରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଶ୍ରୀଲଙ୍କା ଜିତିଥିଲା।
ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ରେ ସର୍ବାଧିକ ରନ କରିବାର ରେକର୍ଡ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ୧୯୯୦ରୁ ୨୦୧୨ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ୮୪ ମ୍ୟାଚ୍ ଖେଳି ୪୩.୮୪ ହାରରେ ୩୧୧୩ ରନ କରିଛନ୍ତି। ଏଥିରେ ୮ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ୍। ଏହା ପରେ ତାଲିକାରେ ଅଛନ୍ତି ସନଥ ଜୟସୁରିୟା(୨୮୯୯ ରନ), କୁମାର ସାଙ୍ଗାକାରା(୨୭୦୦ ରନ), ମହେଲା ଜୟବର୍ଦ୍ଧନେ(୨୬୬୬ ରନ) ଏବଂ ଏମଏସ ଧୋନୀ(୨୩୮୩)ଙ୍କ ପରି ପୂର୍ବତନ ବ୍ୟାଟସମ୍ୟାନ ଅଛନ୍ତି।
ସେହିପରି ମହାନ ସ୍ପିନର ମୁଥେୟା ମୂରଲୀଧରଣ ଭାରତ-ଶ୍ରୀଲଙ୍କା ଦିନିକିଆରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବ ବୋଲର। ସେ ଭାରତ ବିପକ୍ଷରେ ୬୩ ମ୍ୟାଚ୍ ଖେଳି ୭୪ ଓ୍ଵିକେଟ୍ ନେଇଛନ୍ତି। ବୋଲିଂ ହାର ୩୧.୭୮ ଏବଂ ଇକୋନୋମି ୪.୨୮ ରହିଚି। ତାଙ୍କ ପରେ ଚାମିଣ୍ଡା ଭାସ୍(୭୦ ଓ୍ଵିକେଟ୍), ଜାହିର ଖାନ(୬୬ ଓ୍ଵିକେଟ୍), ହରଭଜନ ସିଂ(୬୧ ଓ୍ଵିକେଟ୍) ଏବଂ ଅଜିତ୍ ଅଗରକର(୪୯ ଓ୍ଵିକେଟ୍)।