ବିରାଟ କୋହଲିଙ୍କୁ ସତର୍କ କରାଇଲେ ମାରକ୍ରମ, କହିଲେ- ଆମର ବୋଲର...

Published By : Prameya-News7 Bureau | October 29, 2022 IST

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ଵ କପ୍‌ରେ ରବିବାର ଖେଳାଯିବ ଆଉ ଏକ ହାଇଭୋଲଟେଜ୍ ମୁକାବିଲା। ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଦୁଇ ଦଳର ବିଶ୍ଵ କପ୍‌ରେ ଏହା ହେବ ତୃତୀୟ ମୁକାବିଲା। ଏ ପର୍ଯ୍ୟନ୍ତ ବିଶ୍ଵ କପ୍‌ରେ  ଭାରତ ଏବଂ ଦକ୍ଷିଣ ଆଫ୍ରିକା ହାରି ନାହାନ୍ତି। ଆସନ୍ତାକାଲି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ମ୍ୟାଚ୍‌ରେ ସଭିଙ୍କ ନଜର ପୁଣି ଥରେ ରନ ମେସିନ ବିରାଟ କୋହଲିଙ୍କ ଉପରେ ରହିବ। କୋହଲି ଗତ ଦୁଇଟି ମ୍ୟାଚ୍‌ରେ ଅପରାଜିତ ରହି ଦଳ ବିଜୟରେ ହିରୋ ସାଜିଥିଲେ। କିଙ୍ଗ କୋହଲି ପାକିସ୍ତାନ ବିପକ୍ଷରେ ଅପରାଜିତ ୮୨ ରନ ଏବଂ ନେଦରଲାଣ୍ଡ ବିପକ୍ଷରେ ଅପରାଜିତ ୬୨ ରନର ଇନିଂସ ଖେଳିଥିଲେ। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ ଆଡନ ମାରକ୍ରମ କହିଛନ୍ତି, ତାଙ୍କ ବୋଲର କୋହଲିଙ୍କ ବିରୋଧରେ ଖାସ୍ ରଣନୀତି ପ୍ରସ୍ତୁତ କରିଛନ୍ତି। ଭାରତୀୟ ବ୍ୟାଟିଂ ଏବଂ ଦକ୍ଷିଣ ଆଫ୍ରିକାର ବୋଲିଂ ମଧ୍ୟରେ କଡା ମୁକାବିଲା ହେବ ବୋଲି ମାରକ୍ରମ କହିଛନ୍ତି।

ମାରକ୍ରମ ମ୍ୟାଚ୍‌ର ପୂର୍ବସନ୍ଧ୍ୟା ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୁଇ ଦଳ ମଧ୍ୟରେ ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି। ଆମର ଦ୍ରୁତ ବୋଲର ବିରାଟ କୋହଲିଙ୍କୁ ବୋଲିଂ କରିବାକୁ ପସନ୍ଦ କରନ୍ତି। କୋହଲି ନିଜର ଫର୍ମ ଫେରି ପାଇଛନ୍ତି। ଆଉ ଆମ ବୋଲର ବି ଦମଦାର ପ୍ରଦର୍ଶନ କରୁଛନ୍ତି।

ବିରାଟ କୋହଲି ଏସିଆ କପ୍‌ରେ ଫର୍ମକୁ ଫେରିଥିଲେ। ଆଉ ତା ପରଠୁ ୧୨ଟି ଇନିଂସରେ ୭୮.୨୮ ହାରରେ ୫୪୮ ରନ କରି ସାରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ସାମିଲ୍। ସର୍ବୋଚ୍ଚ ସ୍କୋର ୧୨୪ ରନ ରହିଛି। ମାରକ୍ରମ କହିଛନ୍ତି, ତାଙ୍କୁ ତାଙ୍କ ବୋଲରଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି। ଏନରିକ ନୋର୍ତ୍ତଜେ ଏବଂ କାଗିସୋ ରାବଡାଙ୍କ ପରି ବୋଲର  କୌଣସି ବି ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରନ୍ତି।

ସେ କହିଛନ୍ତି, ଅନ୍ୟ ମଇଦାନ ତୁଳନାରେ ପର୍ଥରେ ବଲ୍ ଅଧିକ ବାଉନ୍ସ ରହିବ। ଆଶା କରୁଛୁ ଆମର ବୋଲର ଏହାର ଫାଇଦା ଉଠାଇବେ। ଯଦି ଟପ୍ ଅର୍ଡର ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି ତେବେ ରନ ଗତି ବଢାଇବାର ଦାୟିତ୍ଵ ମଧ୍ୟକ୍ରମ ଉପରେ ଆସିଥାଏ। ମୁଁ ଦଳର ଆବଶ୍ୟକତା ମୁତାବକ ବ୍ୟାଟିଂ କରିଥାଏ ବୋଲି ମାରକ୍ରମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.