ମେଲବୋର୍ଣ୍ଣରେ ବର୍ଷା ଭାଙ୍ଗିବ କି ପ୍ରଶଂସକଙ୍କ ହୃଦୟ ? ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ କେମିତି ରହିବ ପାଣିପାଗ, ଜାଣନ୍ତୁ

Published By : Prameya-News7 Bureau | October 23, 2022 IST

ମେଲବୋର୍ଣ୍ଣ: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଖେଳାଯିବ ବହୁପ୍ରତୀକ୍ଷିତ ହାଇଭୋଲଟେଜ୍ ମୁକାବିଲା। ମଇଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ମୁକାବିଲା ଉପରେ ପୂରା ବିଶ୍ଵର କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି। ତେବେ ମ୍ୟାଚ୍‌ ଉପରେ ବର୍ଷା ଖଳନାୟକ ସାଜିପାରେ। ଗତ କିଛି ଦିନ ହେବ ମେଲବୋର୍ଣ୍ଣରେ ପ୍ରବଳ ବର୍ଷା ହୋଇଛି। ତେବେ ଶନିବାର ପାଗରେ କିଛିଟା ସୁଧାର ଆସିଛି। କଣ ଆଜି ଭାରତ-ପାକିସ୍ତାନ ମହାମୁକାବିଲାରେ ବର୍ଷା ପ୍ରଶଂସକଙ୍କ ହୃଦୟ ଭାଙ୍ଗିବ କି ପାଣିପାଗ ଅନୁକୂଳ ରହିବ, ଆସନ୍ତୁ ଜାଣିବା...

ଆକ୍ଵ୍ୟଓ୍ଵେଦର ଅନୁଯାୟୀ, ପଡିଆରେ ଆଜି ପୂରା ଦିନ ବାଦଲ ଛାଇ ରହିବ। ବର୍ଷାର ସମ୍ଭାବନା ୪୦ ପ୍ରତିଶତ ରହିପାରେ। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଶ୍ଵସ୍ତିକର ଖବର ଗତ ଦିନ ତୁଳନାରେ ମେଲବୋର୍ଣ୍ଣ ପାଣିପାଗରେ ବହୁତ ସୁଧାର ହୋଇଛି। ତେଣୁ ଆଶା କରାଯାଉଛି ଆଜି କ୍ରିକେଟ୍‌ପ୍ରେମୀଙ୍କୁ ଭାରତ ବନାମ ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିପାରେ। ଶନିବାର ସକାଳୁ ଏ ପର୍ଯ୍ୟନ୍ତ ମେଲବୋର୍ଣ୍ଣରେ ବର୍ଷା ହୋଇ ନାହିଁ। ତେଣୁ ଆଜି ମ୍ୟାଚ୍ ଖେଳାଯିବାର ପୂରା ସମ୍ଭାବନା ରହିଛି। ମ୍ୟାଚ୍ ସମୟରେ ବାଦଲ ଛାଇ ରହିବାରୁ ଦ୍ରୁତ ବୋଲରଙ୍କୁ ପିଚ୍‌ରୁ ସହାୟତା ମିଳିବାର ସମ୍ଭାବନା ଅଧିକ ରହିଛି।

ମ୍ୟାଚ୍ ଆରମ୍ଭ  ହେବାକୁ ଆଉ ପ୍ରାୟ ସାଢେ ଚାରି ଘଣ୍ଟାର ସମୟ ବାକି ରହିଛି। ତେଣୁ ପ୍ରଶଂସକ ଆଶା କରିବେ ଯେ, ଏହି ସମୟରେ ମେଲବୋର୍ଣ୍ଣ ପାଣିପାଗରେ ଆହୁରି ସୁଧାର ଆସୁ। ବର୍ଷାକୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ରୋହିତ କହିଛନ୍ତି ଯେ, ଛୋଟ ମ୍ୟାଚ୍‌ ପାଇଁ ଆମେ ପ୍ରସ୍ତୁତ ଅଛୁ। ଯେଉଁ ଜିନିଷ ଆମ ନିୟନ୍ତ୍ରଣରେ ନାହିଁ, ଆମେ ତାକୁ ନିୟନ୍ତ୍ରଣରେ ନେବାକୁ ଚେଷ୍ଟା କରିବୁ। ଆମେ ଏହା ଚିନ୍ତା କରି ପଡିଆକୁ ଓହ୍ଲାଇବୁ ଯେ, ଏହା ୪୦ ଓଭରର ଖେଳ। ଏଥିପାଇଁ ଆମେ ପ୍ରସ୍ତୁତ। ଯେ କୌଣସି ସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି ରୋହିତ ଶର୍ମା କହିଛନ୍ତି। ଆମେ ଶତପ୍ରତିଶତ ଦେବାକୁ ଚେଷ୍ଟା କରିବୁ ବୋଲି ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.