ଛକା ମାରି ଇତିହାସ ରଚିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା, କୋହଲିଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | November 21, 2021 IST

କୋଲକାତା ୨୧।୧୧: ଭାରତୀୟ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ଅଧିକ ଥର ୫୦ରୁ ଅଧିକ ରନ କରିଛନ୍ତି। ସେ ୧୧୯ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ରୋହିତ ଶର୍ମା ୨୮ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଛକା ଟି-୨୦ ଅନ୍ତର୍ଜାତୀୟରେ ୨୬ତମ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।

ଏହା ପୂର୍ବରୁ ଏହି ରେକର୍ଡ ଯୁଗ୍ମ ଭାବେ ବିରାଟ କୋହଲି ଏବଂ ତାଙ୍କ ନାମରେ ହିଁ ଥିଲା। ହେଲେ ଆଜିର ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ରୋହିତ ବିରାଟ କେହାଲିଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ତୃତୀୟରେ ଅଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ। ସେ ୨୫ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ  ହାସଲ କରିଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣର ୨୨ ଥର ୫୦ରୁ ଅଧିକ ରନ କରିଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ଶର୍ମା ୩୧ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୫୬ ରନର ଇନିଂସ ଖେଳିଥିଲେ।

କେବଳ ଏହି ଗୋଟିଏ ରେକର୍ଡ ନୁହେଁ ରୋହିତ ଶର୍ମା ଆଜି ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଏହି ତାଲିକାରେ ପ୍ରଥମରେ ରହିଛନ୍ତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ୍।

ରୋହିତ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ୧୧୯ଟି ମ୍ୟାଚ୍ ଖେଳି ୧୫୦ଟି ଛକା ମାରିଛନ୍ତି। ଆଜି ଇଡେନ୍‌ଗାର୍ଡେନ୍‌ରେ ଚାଲିଥିବା ମ୍ୟାଚ୍‌ର ରୋହିତ ଲକି ଫର୍ଗ୍ୟୁସନଙ୍କ ବଲ୍‌ରେ ସ୍କୋୟାର ଲେଗ୍‌କୁ ଛକା ମାରି ଏହି ରେକର୍ଡ କରିଛନ୍ତି। ତେବେ ତାଲିକାରେ ଶୀର୍ଷରେ ଥିବା ଗପ୍ଟିଲ୍‌ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ରୋହିତଙ୍କ ଠାରୁ ଅଧିକ ୧୧ଟି ଛକ୍କା ମାରିଛନ୍ତି। ସେ ୧୧୨ ମ୍ୟାଚ୍ ଖେଳି ୧୬୧ ଛକା ମାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.