ନୂଆଦିଲ୍ଲୀ, ୧୭/୧୧: ବୁଧବାର ୩ ମ୍ୟାଚ୍ ବିଶିଷ୍ଟ ଭାରତ ବିପକ୍ଷ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି । ଅଧିନାୟକ କେଏନ୍ ୱିଲିୟମ୍ସନ୍ଙ୍କ ପରେ ବର୍ତ୍ତମାନ ସ୍ପିଡ୍ ବୋଲର କାଇଲ୍ ଜେମିସନ୍ ମଧ୍ୟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ଦୁଇ ଦଳ ମଧ୍ୟରେ ଆଜି ସନ୍ଧ୍ୟାରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଜେମିସନ୍ ଟେଷ୍ଟ୍ ସିରିଜ୍ ପାଇଁ ନିଜେ ଏହି ସିରିଜ୍ରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲାଣ୍ଡ କୋଚ୍ ଗାରେ ଷ୍ଟିଡ ଏନେଇ ସୂଚନା ଦେଇଛନ୍ତି ।
ଟି-୨୦ ସିରିଜ୍ ପରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଭାରତ ବିପକ୍ଷରେ ଖେଳିବ । ଷ୍ଟିଡ୍ ଏକ ବୟାନରେ କହିଛନ୍ତି ଯେ, ଆମେ କେଏନ୍ ୱିଲିୟମ୍ ସନ୍ ଏବଂ ଜେମିସନ୍ଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତ୍ତି ନେଇଛୁ ଯେ, ଏହି ଦୁଇ ଖେଳାଳିଙ୍କୁ ଏବେ ବିଶ୍ରାମ ଦିଆଯିବ । ଅର୍ଥାତ ଚଳିତ ସିରିଜ୍ରେ ସେ ଖେଳିବେ ନାହିଁ । ସେମାନେ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ କରିବେ । ଏଥି ସହିତ ସେ କହିଛନ୍ତି ଯେ, ଟେଷ୍ଟ ଖେଳିବାକୁ ଥିବା ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳି ଟି-୨୦ରେ ଭାଗ ନେଉନାହାନ୍ତି ।
ପାଞ୍ଚ ଦିନରେ ତିନିଟି ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବା ଏବଂ ତିନୋଟି ଭିନ୍ନ ସହରକୁ ଯାତ୍ରା କରିବା ସହିତ ଏକ ସନ୍ତୁଳନ ରକ୍ଷା କରିବାର ଅଛି । ଏହା ବହୁତ ବ୍ୟସ୍ତ କାର୍ଯ୍ୟସୂଚୀ । ଜାମିସନଙ୍କ ପୂର୍ବରୁ ଅଧିନାୟକ କେନ୍ ୱିଲିୟମସନ ମଧ୍ୟ ଟି-୨୦ ସିରିଜରୁ ଓହରି ଯାଇଛନ୍ତି । ସେ କହିଛନ୍ତି ଯେ, ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ସେ ଏହି ସିରିଜରୁ ବାହାର ଯିବାକୁ ନିଷ୍ପତ୍ତି ନେଇଛନ୍ତି।