IND vs NZ 1st T20I: ପ୍ରଥମ ମ୍ୟାଚ୍ରେ ହାରିଲା ଭାରତ, ସୁନ୍ଦର ଖଳିଲେ ୱାଶିଂଟନ
27/01/2023 at 10:37 PM

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ହାରିଲା ଇଣ୍ଡିଆ। ଆଜି ଝାଡ଼ଖଣ୍ଡର ରାଞ୍ଚିଠାରେ ଖେଳାଯାଉଥିବା ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୨୧ ରନ୍ରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଥିଲା। ୧୭୬ ରନ୍ର ଟାର୍ଗେଟ୍ ନେଇ ଶେଷରେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୫୫ ରନ୍ ହିଁ କରିପାରିଛି।
ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ଇନିଂସର ଶେଷ ବେଳକୁ ବ୍ୟାଟିଂ କରିବାକୁ ଆସି ଜବରଦସ୍ତ ଅର୍ଦ୍ଧ ଶତକ ହାସଲ କରିଥିଲେ। ସେହିପରି ସୂର୍ଯ୍ୟ କୁମାର ଯାଦବ ୪୭ ରନ୍ କରିଛନ୍ତି। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୩ ରନ୍ ବି କରିପାରି ନଥିଲେ। କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ରନ୍ କରିଥିବା ବେଳେ ପୁଣିଥରେ ଫେଲ୍ ମାରିଥିଲେ ଇଶାନ କିଶନ(୪)।
ସେହିପରି ଶୁଭମନ ଗିଲ୍(୭)ଙ୍କ ବ୍ୟାଟ୍ରୁ ରନ୍ ଆଶା କରାଯାଉଥିଲେ ବି ସେ ବି ନିରାଶ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ତ୍ରିପାଠୀଙ୍କ ବ୍ୟାଟ୍ ବି ଚାଲିନଥିଲା। ସେହିପରି, ଦୀପକ ହୁଡ୍ଡା(୧୦), କୁଲଦୀପ ଯାଦବ(୦), ଅର୍ଶଦୀପ ସିଂହ(୦), ଉମ୍ରାନ ମଲ୍ଲୀକ(୪), ଶିବମ ମାଭୀ(୨) ରନ୍ କରିଥିଲେ।
ଅନ୍ୟପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୩୦ ବଳରେ ସର୍ବାଧିକ ୫୯ ରନ୍ କରି ଅପରାଜିତ ରହିଥିଲେ। ଏଥିସହିତ ଡିଭନ୍ କନୱେ ୩୫ ବଲରେ ୫୨ ରନର ଇନିଂସ ଖେଳିଥିଲେ। ୱାଶିଂଟନ୍ ସୁନ୍ଦର ଭାରତରୁ ସର୍ବାଧିକ ଦୁଇଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ, କୁଲଦୀପ ଏବଂ ଶିବମ ମାବି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।