ବ୍ୟାଟସମ୍ୟାନଙ୍କୁ ବିରାଟ କୋହଲିଙ୍କ କଡା ସନ୍ଦେଶ- ରନ କର, କ୍ରିଜରେ କେବଳ ଛିଡା ହୁଅ ନାହିଁ

Published By : Prameya-News7 Bureau | June 25, 2021 IST

ସାଉଥମ୍ପଟନ ୨୫।୦୬: ଭାରତୀୟ କ୍ରିକେଟ୍‌ ଦଳ ସାଉଥମ୍ପଟନରେ ଖେଳାଯାଇଥିବା  ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ରେ ପରାଜିତ ହୋଇଛି। ଦଳ ଐତିହାସିକ ମୁକାବିଲା ଜିତି ଇତିହାସ ରଚିବାର ସୁଯୋଗ ହାତଛଡା କରିଛି ଏବଂ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ଦଳ ପରାଜୟର ପ୍ରମୁଖ କାରଣ ଖରାପ ବ୍ୟାଟିଂ ପ୍ରଦର୍ଶନ। ପ୍ରଥମ ଇନିଂସରେ ଦଳ  ମାତ୍ର ୨୧୭ ରନ କରିବା ପରେ ଦ୍ଵିତୀୟ ଇନିଂସରେ ୧୭୦ ରନରେ ଅଲଆଉଟ୍ ହୋଇଥିଲା। ନିମ୍ନ ମାନର ବ୍ୟାଟିଂ ପ୍ରଦର୍ଶନ ପରେ ଅଧିନାୟକ ବିରାଟ କୋହଲି ସମସ୍ତ ବ୍ୟାଟସମ୍ୟାନଙ୍କୁ କଡା ସନ୍ଦେଶ ଦେଇଛନ୍ତି।

ବିରାଟ କୋହଲି ଇଂଲଣ୍ଡରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଭାରତୀୟ ବ୍ୟାଟସମ୍ୟାନ ମୁସ୍କିଲ ପରିସ୍ଥିତିରେ ରନ କରିବାର ସୁଯୋଗ ହାତଛଡା କରୁଛନ୍ତି। ଯଦି ପିଚ୍‌ରେ ଛିଡା ହୋଇ ଆଉଟ୍ ନହେବା ପର୍ଯ୍ୟନ୍ତ ଅପେକ୍ଷା କରି ଚାଲିବେ ତେବେ ନିଶ୍ଚିତ ଭାବେ ଆପଣ ଆଉଟ୍ ହେବେ ଏବଂ ଦଳର ଓ୍ଵିକେଟ୍ ଖସି ଚାଲିବ।

ବିରାଟ କୋହଲି କହିଛନ୍ତି, ଏଠାରେ ଆମକୁ ଆଉଟ୍ ହେବାର ଚିନ୍ତା ଛାଡି ରନ କରିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ। ରନ କରିବା ହିଁ ଏକମାତ୍ର ବିକଳ୍ପ ହେବାର ଅଛି। ବିରୋଧୀ ଦଳକୁ ଚାପରେ ପକାଇ ହିଁ ଆପଣ ରନ କରି ପାରିବେ। ନଚେତ୍ ଆପଣ ନଟ୍‌ ଆଉଟ୍‌ ରହିବାକୁ ଉଦ୍ୟମ କରିବେ, ତେବେ ଆପଣ ଆଉଟ୍ ହୋଇଯିବେ।

ବିରାଟ କୋହଲି ଏହି ବୟାନ ଚେତେଶ୍ଵର ପୂଜାରାଙ୍କ ଉଦ୍ଦେଶ୍ୟରେ କହିଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଚେତେଶ୍ଵର ପୂଜାରା ଗତ ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଡାହାଣହାତୀ ଏହି ବ୍ୟାଟସମ୍ୟାନ ବିଶ୍ଵ ଟେଷ୍ଟ ସିରିଜ୍‌ରେ ମାତ୍ର ୨୮  ହାରରେ ରନ କରିଛନ୍ତି। ଫାଇନାଲ୍‌ର ଦୁଇଟି ଇନିଂସରେ ପୂଜାରା ବିଫଳ ହୋଇଥିଲେ।

ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଶୁବମାନ ଗିଲ୍ ମଧ୍ୟ କ୍ରମାଗତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ରାହାଣେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ରେ ଭାରତ ପାଇଁ ସବୁଠୁ ଅଧିକ ରନ କରିଛନ୍ତି, ମାତ୍ର ସେ ନିୟମିତ ଭଲ  ପ୍ରଦର୍ଶନ କରିବାରେ ବିଫଳ  ହୋଇଛନ୍ତି। ଅନ୍ୟପଟେ  ଶୁବମାନ ଗିଲଙ୍କ ଅଷ୍ଟ୍ରେଲିଆ ଗସ୍ତ ପରଠୁ ଖରାପ ପ୍ରଦର୍ଶନ ଜାରି ରହିଛି। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ସେ ଫ୍ଲପ୍ ହେବା ପରେ ଆଇପିଏଲ୍‌ରେ ମଧ୍ୟ ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ରେ ମଧ୍ୟ ସେ ନିରାଶଜନକ ବ୍ୟାଟିଂ କରିଛନ୍ତି।

ସୂଚନାଯୋଗ୍ୟ, ଭାରତର ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଆରମ୍ଭ ହେବ। ତେଣୁ ଏହି ଗସ୍ତରେ ନିଜର ବ୍ୟାଟିଂରେ ସୁଧାର ଆଣିବା ପାଇଁ ଏହି ସବୁ ବ୍ୟାଟସମ୍ୟାନଙ୍କ ପାଖରେ ଭଲ ସୁଯୋଗ  ରହିଛି। ନଚେତ୍ ନିଜର ସ୍ଥାନ ହରାଇବା ସାର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.