ଶାର୍ଦ୍ଦୁଳ ଠାକୁର କିମ୍ଵା ରୋହିତ ଶର୍ମା ନୁହେଁ ବରଂ ଏହି ଭାରତୀୟ ଖେଳାଳିଙ୍କ ପାଇଁ ଆମେ ମ୍ୟାଚ୍ ହାରିଲୁ: ଜୋ ରୁଟ୍

Published By : Prameya-News7 Bureau | September 07, 2021 IST

ଓଭାଲ ୦୭।୦୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ଏ ପର୍ଯ୍ୟନ୍ତ ବିରାଟ ବାହିନୀଙ୍କ ଦବଦବା ଦେଖିବାକୁ ମିଳିଛି। ଚାରୋଟି ଟେଷ୍ଟ ମ୍ୟାଚ୍ ପରେ ସିରିଜ୍‌ରେ ଭାରତୀୟ ଦଳ ୨-୧ରେ ଅଗ୍ରଣୀ ହାସଲ କରିଛି। ସୋମବାର ଦ ଓଭାଲ ଗ୍ରାଉଣ୍ଡରେ ଶେଷ ଚତୁର୍ଥ ଟେଷ୍ଟରେ ଭାରତ ଘରୋଇ ଇଂଲଣ୍ଡକୁ ୧୫୭ ରନରେ  ହରାଇଛି। ଦ୍ଵିତୀୟ ପାଳିରେ ୧୨୭ ରନର ଶତକୀୟ ଇନିଂସ ଖେଳିଥିବା ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଶାର୍ଦ୍ଦୁଳ ଠାକୁର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିବା ସହ ୩ଟି ଓ୍ଵିକେଟ୍ ହାସଲ କରିଛନ୍ତି। ଏହି ଦୁଇ ଖେଳାଳି ଭାରତର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ମାତ୍ର ଟେଷ୍ଟ ମ୍ୟାଚ୍ ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ କହିଛନ୍ତି, କେଉଁ ଭାରତୀୟ ଖେଳାଳିଙ୍କ କାରଣରୁ ଆୟୋଜକ ଦଳକୁ ପରାଜୟର ସାମ୍ନା କରିବାକୁ ପଡିବାକୁ ପଡିଛି। ରୁଟ୍ କହିଛନ୍ତି ମ୍ୟାଚ୍‌ର ଶେଷ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପରେ ଯଶପ୍ରୀତ ବୁମରାଙ୍କ ସ୍ପେଲ୍ ମ୍ୟାଚ୍‌ର ଗତିପଥ ବଦଳାଇ ଦେଇଥିଲା।

ରୁଟ୍ ଏହା ମଧ୍ୟ କହିଛନ୍ତି, ବୁମରାଙ୍କ ସେହି ସ୍ପେଲ୍ ମ୍ୟାଚ୍‌ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଭାରତକୁ ଏହି ବିଜୟ ପାଇଁ ଶ୍ରେୟ ଦିଆଯିବା ଉଚିତ୍। ବୁମରା ବଲ୍‌କୁ ରିଭର୍ସ ସ୍ଵିଙ୍ଗ କରିବାରେ ସଫଳ ହେଲେ ଏବଂ ତାଙ୍କର ଏହି ବୋଲିଂ ମ୍ୟାଚ୍‌ର ଗତିପଥ ବଦଳାଇ ଦେଇଥିଲେ। ଏହି ମ୍ୟାଚ୍‌ରେ ଆମେ କିଛି ହାସଲ କରିନପାରିବା ଆମ ପାଇଁ ବହୁତ ବଡ ନିରାଶଜନକ ବିଷୟ। ଆମ ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ଥିଲା। ଆମେ ପ୍ରଥମ ଇନିଂସରେ ଅଧିକ ଅଗ୍ରଣୀ ହାସଲ କରି ପାରୁଥାନ୍ତୁ। ଆପଣଙ୍କୁ ବିଶ୍ଵସ୍ତରୀୟ ଖେଳାଳିଙ୍କ ବିପକ୍ଷରେ ମିଳୁଥିବା ପ୍ରତିଟି ସୁଯୋଗର ଫାଇଦା ଉଠାଇବାକୁ ପଡିବ। ଇଂଲଣ୍ଡକୁ ପ୍ରଥମ ଇନିଂସରେ ୧୦୦ ନୁହେଁ ବରଂ ଅତି କମରେ ୨୦୦ ରନର ଇନିଂସ ହାସଲ କରିବାର ଥିଲା ବୋଲି ରୁଟ୍ କହିଛନ୍ତି।

ଭାରତ ଓଭାଲ ଟେଷ୍ଟରେ ଟସ୍ ହାରି ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୨୯୦ ରନ କରି ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଉପରେ ଚାପ ପକାଇଥିଲେ। ହେଲେ ରୋହିତ ଓ କେଏଲ ରାହୁଲ ମିଶି ଦ୍ଵିତୀୟ ଇନିଂସରେ ଭଲ ଆରମ୍ଭ ଦେଇଥିଲେ। ଚେତେଶ୍ଵର ପୂଜାରା ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ପରି ଭାରତ ୪୬୬ ରନ କରିବାରେ ସଫଳ ହୋଇଥିଲା। ଭାରତ ଦ୍ଵାରା ଧାର୍ଯ୍ୟ ୩୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୧୦ ରନରେ ଅଲଆଉଟ୍ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.