IND vs BAN : ପ୍ରଥମ ଦିନିକିଆରେ ବ୍ୟାଟିଂ ଫେଲ୍, ୧୮୬ରନ୍ର ଟିମ୍ ଇଣ୍ଡିଆ ଅଲ୍ଆଉଟ୍
4/12/2022 at 2:49 PM

ମୀରପୁର ୦୪।୧୨ : ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଫ୍ଲପ୍ । ୧୮୬ ରନ୍ରେ ଅଲ୍ଆଉଟ୍ ହେଲା ମେନ୍ ଇନ୍ ବ୍ଲୁ । ୫୦ ଓଭର ବି ଖେଳିପାରିଲାନି ପୁରା ଟିମ୍ । ୪୧ ଓଭର ୨ଟି ବଲ୍ ଖେଳି ଅଲ୍ଆଉଟ୍ ହୋଇଯାଇଛି ରୋହିତ ବାହିନୀ ।
ରବିବାରଠୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ପ୍ରଥମ ଦିନିକିଆ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଟିମ୍ର କୌଣସି ବ୍ୟାଟସମ୍ୟାନ୍ ପଡିଆରେ ଅଧିକ ସମୟ ଧରି ତିଷ୍ଠି ପାରିନଥିଲେ । ଦଳୀୟ ସ୍କୋର ୨୩ ରନ୍ ହୋଇଥିବା ବେଳେ ଲାଗିଥିଲା ପ୍ରଥମ ଝଟ୍କା । ଏହାପରଠାରୁ ଆରମ୍ଭ ହୋଇଥିଲା ଓ୍ୱିକେଟର ପତନ । ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍ । ଦଳ ପକ୍ଷରୁ କେଏଲ୍ ରାହୁଲ୍ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଶିଖର ଧାଓ୍ୱାନ ୨୭ରନ୍, ଶ୍ରେୟସ ଆୟର ୨୪ ରନ୍, ଓ୍ୱାସିଂଟନ୍ ସୁନ୍ଦର ୧୯ ରନ୍ କରିଛନ୍ତି । ଏହାବ୍ୟତୀତ ଆଉ କୌଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ । ଯାହାଫଳରେ ଟିମ୍ ଇଣ୍ଡିଆ ମୋଟ ୪୧ ଓଭର ୨ଟି ବଲ୍ ଖେଳି ୧୮୬ କରି ଅଲ୍ଆଉଟ୍ ହୋଇଯାଇଛି ।
ସେପଟେ ବାଂଲାଦେଶ ପକ୍ଷରୁ ଅଭିଜ୍ଞ ବୋଲର ସାକିବ ଉଲ୍ ହସନ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଛନ୍ତି । ସେ ପୁରା ୧୦ ଓଭର ବୋଲିଂ କରି ୩୬ ରନ୍ ଦେଇ ୫ଟି ଓ୍ୱିକେଟ୍ ନେଇଛନ୍ତି । ଏହାବ୍ୟତୀତ ଏବାଟ ହୋସେନ୍ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ହାସନ ମିରାଜ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।