କମାଲ କଲେ ଉମେଶ-ଅଶ୍ୱିନ, ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୨୭ ରନରେ ସୀମିତ ବାଂଲାଦେଶ

Published By : Prameya-News7 Bureau | December 22, 2022 IST

ଢାକା: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମୁକାବିଲା ଢାକାର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଦିନ ଖେଳ ଶେଷ ପରେ ଟିମ୍ ଇଣ୍ଡିଆ ବାଂଲାଦେଶଠାରୁ ୨୦୮ରନ ପଛରେ ରହିଛି । ଏହି ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ବାଂଲାଦେଶ ୨୨୭ ରନ କରିଛି । ଏହାର ଜବାବରେ ଟିମ ଇଣ୍ଡିଆ ପ୍ରଥମ ଦିନ ଶେଷ ସୁଦ୍ଧା ବିନା କୌଣସି ୱିକେଟ୍ ହରାଇ ୧୯ ରନ କରିଛି । ଭାରତର ଦୁଇ ଓପନର ରାହୁଲ ଏବଂ ଶୁଭମନ ଗିଲ ଭାରତୀୟ ଇନିଂସକୁ ଆଗକୁ ବଢାଇବେ ।   

ଟସ ଜିତି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା ଏବଂ ପ୍ରଥମ ୱିକେଟ୍ ପାଇଁ ନଜମୁଲ ହସନ ଏବଂ ଜାକିରଙ୍କ ମଧ୍ୟରେ ୩୯ ରନ ଭାଗିଦାରୀ ହୋଇଥିଲା । ୧୨ ବର୍ଷ ପରେ ଟେଷ୍ଟ ମ୍ୟାଚକୁ ଫେରିଥିବା ଜୟଦେବ ଉନାଦକଟ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଜାକିର ହସନଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ମୋମିନୁଲ ଏବଂ ଅଧିନାୟକ ସାକିବଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୪୩ ରନ ଭାଗିଦାରୀ ହୋଇଥିଲା । ସକିବଙ୍କ ୱିକେଟ୍ ନେଇ ଉମେଶ ଯାଦବ ଏହି ଭାଗିଦାରୀକୁ ଭାଙ୍ଗିଥିଲେ । ଏହାପରେ ବାଂଲାଦେଶ ଟିମର ନିୟମିତ ବ୍ୟବଧାନରେ ୱିକେଟ ପଡ଼ି ଚାଲିଥିଲା । ବାଂଲାଦେଶ ପକ୍ଷରୁ ମୋମିନୁଲ ସର୍ବାଧିକ ୮୪ ରନ କରିଥିଲେ । ବାଂଲାଦେଶ ୨୨୭ ରନରେ ସବୁ ୱିକେଟ ହରାଇଥିଲା ।

ଭାରତ ପକ୍ଷରୁ ଉମେଶ ଯାଦବ ଏବଂ ଅଶ୍ୱିନ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜୟଦେବ ଉନାଦକଟଙ୍କୁ ୨ଟି ୱିକେଟ ମିଳିଥିଲା । ଭାରତ ପ୍ରଥମ ଇନିଂସରେ ଆଠ ଓଭରରେ କୌଣସି ୱିକେଟ ନ ହରାଇ ୧୯ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.