ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଆଜି ହୋଇପାରେ ଟିମ୍ ଇଣ୍ଡିଆ ଘୋଷଣା, ଶ୍ରେୟସ-ଅକ୍ଷରଙ୍କ ଉପରେ ସଭିଙ୍କ ନଜର
18/09/2023 at 5:04 PM

ନୂଆଦିଲ୍ଲୀ: ଏସିଆ କପ୍ର ୮ମ ଟାଇଟଲ୍ ଜିତିବା ପରେ ସ୍ଵଦେଶ ଫେରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଖେଳାଳି। ଏବେ ବିଶ୍ଵକପ୍ ପୂର୍ବରୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେଉଥିବା ଏହି ଶୃଙ୍ଖଳା ପାଇଁ ଆଜି ରାତି ୮ଟା ୩୦ରେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳ ଘୋଷଣା କରି ପାରନ୍ତି।
Also read- ସିରାଜଙ୍କ ମହାନତା, ଗ୍ରାଉଣ୍ଡ ଷ୍ଟାଫ୍ଙ୍କୁ ଦାନ କରିଦେଲେ ପୁରସ୍କାର ରାଶି
ଦିନିକିଆ ବିଶ୍ଵକପ୍ ଠିକ୍ ପୂର୍ବରୁ ଖେଳା ଯାଉଥିବା ଏହି ସିରିଜ୍ରେ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ। ତେବେ ସଭିଙ୍କ ନଜର ଅକ୍ଷର ପଟେଲ୍ ଓ ଶ୍ରେୟସ ଆୟରଙ୍କ ଫିଟନେସ୍ ଉପରେ ରହିଛି। ଏସିଆ କପ୍ ୨୦୨୩ରେ ଅକ୍ଷର ପଟେଲ୍ ସୁପର-୪ରେ ବାଂଲାଦେଶ ବିପକ୍ଷରେ ଆହତ ହେବା ଯୋଗୁଁ ଫାଇନାଲ୍ ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ।

ଅନ୍ୟପଟେ ଶ୍ରେୟସ ପିଠିରେ ଯନ୍ତ୍ରଣାଜନିତ ସମସ୍ୟା କାରଣରୁ ଗ୍ରୁପ ମୁକାବିଲା ପରେ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଏହି ଦୁଇ ଖେଳାଳି ଦିନିକିଆ ବିଶ୍ଵକପ୍ ପାଇଁ ଘୋଷିତ ଦଳର ଅଂଶ ବିଶେଷ। ତେଣୁ ସାମ୍ବାଦିକ ସମ୍ମିଳନୀରେ ଦୁଇ ଖେଳାଳିଙ୍କ ଫିଟନେସ୍କୁ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
Also read- ୨୩ ବର୍ଷର ବଦ୍ଲା, ୨୦୨୩ରେ ଶ୍ରୀଲଙ୍କାଠୁ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ
ଯଦି ଅକ୍ଷର ପଟେଲ୍ ବିଶ୍ଵକପ୍ ପାଇଁ ଫିଟ୍ ନ ହୁଅନ୍ତି ତେବେ ତାଙ୍କର ବିକଳ୍ପ ଭାବେ ଓ୍ଵାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ୍ କରାଯାଇପାରେ ବୋଲି ଆଶା ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସୁନ୍ଦରଙ୍କୁ ପରଖା ଯାଇପାରେ, ଯଦ୍ଵାରା ତାଙ୍କୁ ବିଶ୍ଵକପ୍ ପାଇଁ ପ୍ରସ୍ତୁତ ରଖା ଯାଇ ପାରିବ। ଏହା ବ୍ୟତୀତ ଅନ୍ୟ କୌଣସି ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୨ରେ ମୋହାଲି, ୨୪ ତାରିଖରେ ଇନ୍ଦୋର ଓ ୨୭ ତାରିଖରେ ରାଜକୋଟ୍ରେ ଖେଳାଯିବ।