ନୂଆଦିଲ୍ଲୀ: ଜିମ୍ୱାୱେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ଭାରତ ୧୦ ୱିକେଟରେ ଘରୋଇ ଟିମକୁ ପରାସ୍ତ କରିଛି । ଟିମ୍ ପାଇଁ ଦୁଇ ଓପନରଙ୍କ ମଧ୍ୟରେ ୧୫୬ ରନର ପାର୍ଟନରଶିପ ହୋଇଥିଲା । ଯଶସ୍ୱୀ ଜୈସ୍ୱାଲଙ୍କ ୯୩ ରନ ଏବଂ ଶୁଭମନ ଗିଲଙ୍କ ୫୮ ରନ ବଳରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିବା ସହ ସିରିଜକୁ ୩-୧ରେ କବଜା କରିଛି ।
୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ଭରତ ଟିମ୍ ଜିମ୍ୱାୱେଠାରୁ ହାରିବା ପରେ ଯୁବ ବ୍ରିଗେଡ୍ ଜୋରଦାର କମବ୍ୟାକ୍ କରିଛି । ଲାଗାତାର ତିନୋଟି ମ୍ୟାଚ୍କୁ ବଡ଼ ବ୍ୟବଧାନରେ ଜିତିବା ସହ ସିରିଜ କବଜା କରିଛନ୍ତି । ଶନିବାର ଖେଳା ଯାଇଥିବା ମ୍ୟାଚରେ ଟସ୍ ଜିତି ଇଣ୍ଡିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଜିମ୍ୱାୱେର ପ୍ରଥମ ୱିକେଟ୍ ୬୩ ରନରେ ପଡ଼ିଥିଲା । ଦୁଇ ଓପନର ମାଧଭେରେ ୨୫ (୨୪) ରନ୍ ଏବଂ ମାରୁମଣି ୩୨(୩୧) ରନ ଆଉଟ୍ ହୋଇଥିଲେ । ଅଧିନାୟକ ସିକନ୍ଦର ରାଜାଙ୍କ ୨୮ ବଲରେ ୪୬ ରନର ବିସ୍ଫୋରକ ବ୍ୟାଟିଂ ବଳରେ ଜିମ୍ୱାୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା । ଭାରତ ପାଇଁ ଖଲିଲ ଅହମ୍ମଦ ସର୍ବାଧିକ ୨ ୱିକେଟ୍ ନେଇଥିଲେ । ଅନ୍ୟପଟେ ଡେବ୍ୟୁଟାଣ୍ଟ ତୁଷାର ପାଣ୍ଡେ, ୱାଶିଂଟନ ସୁନ୍ଦର, ଅଭିଷେକ ଶର୍ମା ଏବଂ ଶିଭମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୧୫୩ ରନର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପାଇଁ ଦୁଇ ଓପନର ହିଁ ମ୍ୟାଚ୍ ଫିନିସ୍ କରି ଫେରିଥିଲେ । ଅଧିନାୟକ ଶୁଭମନ୍ ଗିଲ୍ ୩୯ ବଲରେ ୫୮ ରନ୍ ଏବଂ ଯଶସ୍ୱୀ ଜୈସ୍ୱାଲ ୫୩ ବଲରୁ ଧୂଆଁଧାର ୯୩ ରନ୍ କରି ଅପରାଜିତ ଫେରିଥିଲେ । ଟିମ୍ ଇଣ୍ଡିଆ ୧୫.୨ ଓଭରରେ ଶୂନ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା ।