AAPରେ ଲାଗିଛି ଝଗଡା ! ବିଜେପି ସାଂସଦ କହିଲେ-କେଜରିୱାଲଙ୍କୁ ଧମକ ଦେଇଛନ୍ତି ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନକଙ୍କ ପତ୍ନୀ
7/03/2023 at 4:14 PM

ନୂଆଦିଲ୍ଲୀ ୭।୩: ନୂଆ ମନ୍ତ୍ରୀଙ୍କୁ ନେଇ ଦିଲ୍ଲୀ ସରକାରରେ ଝଗଡା ଆରମ୍ଭ ହୋଇଯାଇଛି। ଏହି ସୂଚନା ଦେଇଛନ୍ତି ବିଜେପି ସାଂସଦ ପ୍ରବେଶ ବର୍ମା। ସେ କହିଛନ୍ତି ଯେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଧମକ ଦେଇଛନ୍ତି। ସେମାନେ କେଜ୍ରିୱାଲଙ୍କୁ ଜୈନ ଓ ସିସୋଦିଆଙ୍କ ଜେଲରୁ ମୁକୁଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି, ତେବେ ସେମାନେ ମୁକୁଳିବା ପୂର୍ବରୁ ତରବରିଆ ଭାବେ ନୂଆ ମନ୍ତ୍ରୀ ନ କରିବାକୁ ଚେତାବନୀ ଦେଇଛନ୍ତି। ଯଦି ଏପରି କରନ୍ତି ତେବେ ମଦ ଓ ହୱାଲା କାରବାରର ରହସ୍ୟ ଖୋଲିଦେବେ ବୋଲି ଧମକ ଦେଇଛନ୍ତି।
ଏ ନେଇ ବର୍ମା ମଙ୍ଗଳବାର ଏକ ଟ୍ୱିଟ୍ କରିଛନ୍ତି। ସେ ଏଥିରେ ‘ଦିଲ୍ଲୀ ସରକାରରେ ନୂଆ ମନ୍ତ୍ରୀ ଲାଗି ଝଗଡା ବଢିଯାଇଥିବା’ ଉଲ୍ଲେଖ କରିଛନ୍ତି। ଏଥିରେ ସେ ସୂତ୍ରରୁ ମିଳୁଥିବା ସୂଚନା ରେ ଶ୍ରୀମତୀ ସିସୋଦିଆ ଓ ଶ୍ରୀମତୀ ସତ୍ୟେନ୍ଦ୍ର ଜୈନ କେଜରିୱାଲଙ୍କୁ ଏଥିଲାଗି ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି। ସେମାନେ ଜେଲରୁ ବାହାରିବା ପୂର୍ବରୁ ଯଦି ନୂଆ ମନ୍ତ୍ରୀ କରନ୍ତି ତେବେ ମଦ ଓ ହାୱାଲାର ସବୁ ପଇସା କୁଆଡେ ଯାଇଛି ତାର ରହସ୍ୟ ଖୋଲିଦେବେ ବୋଲି କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଏବେ ତିହାର ଜେଲରେ ଅଛନ୍ତି।
दिल्ली सरकार में नये मंत्री बनाने का झगड़ा बड़ गया है। सूत्रों के अनुसार श्रीमति सिसोदिया और श्रीमति सत्येन्द्र जैन ने केजरीवाल को धमकी दी है कि 6 महीने तक दोनों के जेल से बाहर आने का इंतज़ार करो तब तक नया मंत्री बना तो शराब और हवाला का सारा पैसा कहाँ गया उसका राज़ खोल देंगे।
— Parvesh Sahib Singh (@p_sahibsingh) March 7, 2023
ମଦ ଅନିୟମିତତା ମାମଲାରେ ଗିରଫ ମନିଷ ସିସୋଦିଆ ଓ ହାୱାଲା କେସ୍ରେ ଗତବର୍ଷ ମେ ମାସରୁ ଗିରଫ ସତ୍ୟେନ୍ଦ୍ର ଜୈନ ନିକଟରେ ସେମାନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ମନ୍ତ୍ରୀଙ୍କ ନିକଟରେ ଥିବା ବିଭାଗକୁ କୈଲାଶ ଗହଲୋଟ ଓ ରାଜକୁମାର ଆନନ୍ଦଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। କେଜରିୱାଲ ସରକାର ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ବିଧାୟକ ସୌରଭ ଭରଦ୍ୱାଜ ଓ ଆତିଶିଙ୍କୁ ସିସୋଦିଆ ଏବଂ ଜୈନଙ୍କ ସ୍ଥାନ ଦେବାକୁ କେଜରିୱାଲ ବିଚାର କରୁଛନ୍ତି।
ଉଭୟଙ୍କୁ ମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କୁ ପଠାଇ ଦିଆଯାଇଛି। ସତ୍ୟେନ୍ଦ୍ର ଜୈନ ଓ ମନିଷ ସିସୋଦିଆଙ୍କ ଇସ୍ତଫାକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଭରଦ୍ୱାଜ ଓ ଆତିଶିଙ୍କୁ ମନ୍ତ୍ରୀ ଭାବେ ଶପଥ ଦିଆଯାଇପାରେ।