ଚିଙ୍ଗୁଡି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ, ନଗଦ ଟଙ୍କା ସହ ସୁନାଗହଣା ଜବତ

Published By : Prameya-News7 Bureau | March 06, 2020 IST

ଭଦ୍ରକ ୦୬|୦୩  ଧାମରାର ଚିଙ୍ଗୁଡି ବ୍ୟବସାୟୀ ଅମୂଲ୍ୟ ମଣ୍ଡଳଙ୍କ ଘରେ କେନ୍ଦ୍ରୀୟ ଆୟକର ବିଭାଗର ୪ଟି ଟିମ୍ ଦୁଇଦିନ ହେଲା ଚଢାଉ ଜାରି ରଖିଛି। ଅମୂଲ୍ୟଙ୍କର ବିଜୟ ପାଟଣା ଗ୍ରାମରେ ଥିବା ବାସଭବନ ସହ ଧାମରା, ଜୟଦୁର୍ଗପାଟଣା ଓ କୁଆମରା ଆଦି ସ୍ଥାନ ସହ ତାଙ୍କ ପରିବାର ଲୋକଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଚଢାଉ କରାଯାଉଛି। ଏହି ଚଢାଉରେ ବିଭାଗ ବହୁ ଧନ ସମ୍ପତ୍ତି ସହ ସୁନା ଅଳଙ୍କାର ଠାବ କରିଥିବା ସୂଚନା ମିଳିଛି।

ସୂଚନାନୁସାରେ, ଅମୂଲ୍ୟଙ୍କ ଘରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଏଥିରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ବାହାଘର ଭିଡିଓକୁ ଖିଅ କରି ବିଭାଗ ଚଢାଉ କରିଛି। ତେବେ ଏହି ଭିଡିଓକୁ ଅମୂଲ୍ୟଙ୍କର କିଛି ବିରୋଧୀ ବିଭାଗ ନିକଟକୁ ପଠାଇଥିବା ଆଲୋଚନା ହେଉଛି।  

ଗତକାଲି କରଣପଲ୍ଲୀରେ ଥିବା ଅମୂଲ୍ୟଙ୍କ ଘରେ ବିଭାଗ ଚଢାଉ କରିଥିଲା। ଅମୂଲ୍ୟଙ୍କ ହେପାଜତରେ ଥିବା ଧାମରା ବରଫ କଳ, ଏକ ପେଟ୍ରୋଲ ଟାଙ୍କି, ଏକ ରନ୍ଧନ ଗ୍ୟାସ ଗୋଦାମ, ୨ଟି ବହୁତଳ କୋଠା ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି। ତାଙ୍କର ବିଜୟପାଟଣାରେ ଥିବା କୋଠାରୁ ନଗଦ ଟଙ୍କା, ସୁନା ଗହଣା ଓ ଜମିବାଡିର କାଗଜପତ୍ର ଜବତ ହୋଇଛି।

ବର୍ଷକୁ ୫୦୦ରୁ ଅଧିକ ଚିଙ୍ଗୁଡି ପୋଖରୀକୁ ଫାଇନାନ୍ସ କରୁଥିବା ମଣ୍ଡଳ ପରିବାରର କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢାଉକୁ ଦେଖି ଧାମରାରେ ଥିବା ଅନ୍ୟ ଚିଙ୍ଗୁଡି ବ୍ୟବସାୟୀ ନିଜ କାଗଜପତ୍ର ନେଇ ଲୁଚିବା ଆମ୍ଭ କରିଦେଇଛନ୍ତି। କାରଣ ମଣ୍ଡଳ ପରିବାର ସହ ଅନେକ ସଂସ୍ଥାର ବ୍ୟବସାୟିକ ଲିଙ୍କ୍ ରହିଛି। ଆୟକର ବିଭାଗକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.