ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଳି: ୪୦ ଟି ସ୍ଥାନରେ ଚଢ଼ାଉ କଲା ଆୟକର ବିଭାଗ, ପ୍ରଯୋଜନା ସଂସ୍ଥା ଓ ଫିଲ୍ମ ବିତରକଙ୍କ ଘରେ ବି ହୋଇଛି ଚଢ଼ାଉ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ: ନେତା ଓ ଅଫିସର ପରେ ଏବେ ଅଭିନେତା ଅଭିନେତ୍ରୀଙ୍କ ପାଳି। ସେମାନଙ୍କର ଘରେ ଚଢ଼ାଉ କରୁଛି ଆୟକର ବିଭାଗ। ଅଗଷ୍ଟ ୨ ଠାରୁ ତାମିଲନାଡୁ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି ପ୍ରଯୋଜକ, ଫିଲ୍ମ ବିତରକ ଏବଂ ଫାଇନାନ୍ସିଅର (ଅର୍ଥଦାତା ବା ଅର୍ଥପରାମର୍ଶକ)ଙ୍କ ପାଇଁ ସର୍ଚ୍ଚ ଓ ସିଜ୍ ଅପରେସନ ଚଳାଇଛି ଆୟକର ବିଭାଗ।  

ଏସମ୍ପର୍କରେ ସୂଚନା ଦେଇ ଆଇ-ଟି ବିଭାଗ କହିଛି ଯେ ଚେନ୍ନାଇ, ମଦୁରାଇ, କୋଏମ୍ବାତୁର ଏବଂ ଭେଲୋର ଆଦି ୪୦ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଛି। ଏହି ସର୍ଚ୍ଚ ଅପରେସନରେ ବେଆଇନ ନେଣଦେଣ ପୁଞ୍ଜି ନିବେଶ ନେଇ କିଛି କାଗଜପତ୍ର ଓ ଡିଜିଟାଲ ତଥ୍ୟ ମିଳିଛି। ସର୍ଚ୍ଚ ଅପରେସନ ବେଳେ ଗୁପ୍ତ ଓ ଲୁକାୟିତ ରଖାଯାଇଥିବା ସ୍ଥାନମାନଙ୍କର ମଧ୍ୟ ଚଢ଼ାଉ କରାଯାଇଥିଲା ବୋଲି ଆଇଟି ବିଭାଗ ସୂଚନା ଦେଇଛି।

ଫିଲ୍ମ ଫାଇନାନ୍ସିଅରଙ୍କ ସର୍ଚ୍ଚ ବେଳେ ସଠିକ ସୂଚନା ନଥିବା ଟଙ୍କା ଋଣ ଦେବା ନେଇ ପ୍ରମିସରି ନୋଟ ମିଳିଥିବା ବିଭାଗ କହିଛି। ଯେଉଁଥିରେ ଅନେକ ଫିଲ୍ମ ସଂସ୍ଥାକୁ ଋଣ ଦିଆଯିବା କଥା ରହିଛି। ସେହିପରି ପ୍ରଯୋଜନା ସଂସ୍ଥାଗୁଡ଼ିକ ଆୟକର ଠକିଥିବା ଜଣାପଡ଼ିଛି। କାରଣ ସେମାନେ ଫିଲ୍ମର ଯେତିକି ଆୟ ଦେଖାଇଛନ୍ତି ତା ଠାରୁ ଅଧିକ ଆୟ ହୋଇଛି ବୋଲି ସୂଚନା ମିଳିଛି।

ସେହିପରି ଫିଲ୍ମ ବିତରକଙ୍କ ସର୍ଚ୍ଚ ଅପରେସନ ବେଳେ ମଧ୍ୟ ଦୁର୍ନୀତି ପଦାକୁ ଆସଛି। ଥିଏଟରରୁ ବେହିସାବ ଅର୍ଥ ଆୟ ନେଇ ସୂଚନା ମିଳିଛି। ଏମାନେ ଏକ ନିଜ ଭିତରେ ଏକ ଗ୍ରୁପ୍ ଗଠନ କରି ଫିଲ୍ମର ଆୟକୁ ପ୍ରଭାବିତ କରିଛନ୍ତି। ଫଳରେ ଆୟ ଯେତିକି ହେବା କଥା ସେତିକି ହୋଇପାରି ନାହିଁ। ତେବେ ଏପର୍ଯ୍ୟନ୍ତ ୨୦୦ କୋଟି ଜବତ କରାଯାଇଥିବା କୁହାଯାଉଥିବା ବେଳେ ୨୬ କୋଟି ନଗଦ ଟଙ୍କା ୩ କୋଟି ସୁନା ଗହଣା ଜବତ କରାଯାଇଛି ବୋଲି କୁହାଯାଉଛି। ମାମଲାର ପରବର୍ତ୍ତୀ ତଦନ୍ତ ଜାରି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.