ଘନ ଘନ ରେଡ୍, କର୍ମଚାରୀଙ୍କୁ ଲଗାତାର ପଚରାଉଚରା: ଜାଣନ୍ତୁ ୩ ଦିନ ଧରି କ’ଣ ହୋଇଥିଲା ବିବିସି ଅଫିସ୍ରେ…
17/02/2023 at 11:54 AM

ନୂଆଦିଲ୍ଲୀ, ୧୭/୦୨: ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ର ଦିଲ୍ଳୀ ଏବଂ ମୁମ୍ବାଇ ସ୍ଥିତ ଅଫିସ୍ ଉପରେ ଆୟକର ବିଭାଗ ତିନି ଦିନ ପର୍ଯ୍ୟନ୍ତ ଲଗାତାର ରେଡ୍ କରିଥିଲା। ଗରୁବାର ଏହି ରେଡ୍ ସରିଛି। ରେଡ୍ ସରିଥିବା ନେଇ ବିବିସି ଟ୍ବିଟ୍ କରି କହିଛି। ଏହା ସହ ସେମାନେ ଅଧିକାରୀଙ୍କୁ ସହଯୋଗ ଦେବା ଜାରି ଏବଂ ବିବିସି ବିନା ଡରରେ ଏହାର ରିପୋର୍ଟିଂ କରିବା ଜାରି ରଖିବ ବୋଲି ମଧ୍ୟ କହିଛି।
ବିବିସି ଆହୁରି କହିଛି, କିଛି କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ତାଙ୍କୁ ରାତି ସାରା ଅଫିସ୍ରେ ରହିବାକୁ ପଡ଼ିଥିଲା। ଏକ ରିପୋର୍ଟରେ କୁହାଯାଇଥିଲା କାର୍ଯ୍ୟାନୁଷ୍ଠାନ ସମୟରେ ବିବିସି ବରିଷ୍ଠ କର୍ମଚାରୀଙ୍କ ମୋବାଇଲ ଫୋନ୍ର କ୍ଲୋନ୍ କରାଯାଇଥିଲା। ଅନେକ ଡେସ୍କଟପ୍ ଏବଂ ଲାପ୍ଟପ୍ ସ୍କାନ୍ କରାଯାଇଥିଲା। ପରେ ସେମାନଙ୍କୁ ଲାପ୍ଟପ୍ ଏବଂ ଫୋନ୍ ଫେରାଇ ଦିଆଯାଇଥିଲା। ବିବିସି ଓ୍ବାର୍ଲ୍ଡ ସର୍ଭିସ୍ର ନିର୍ଦେ୍ଦଶକ ଲ୍ୟାଣ୍ଡର କହିଛନ୍ତି ସବୁ କର୍ମଚାରୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦୂରେଇ ରହିବାକୁ କହିଥିଲେ।
ସୂଚନାଯୋଗ୍ୟ, ନିକଟରେ ବିବିସି ଲଣ୍ଡନରେ ୨୦୦୨ ଗୁଜରାଟ ଦଙ୍ଗା ଉପରେ ଏକ ଡକ୍ୟୁମେଣ୍ଟ୍ରିର ପ୍ରସାରଣ କରିଥିଲା। ଏଥିରେ ରାଜ୍ୟର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାକୁ ନେଇ ଆଲୋଚନା କରାଯାଇଥିଲା। ଅବଶ୍ୟ ଭାରତରେ ଏହାକୁ ବ୍ୟାନ୍ କରାଯାଇଛି।
ଆୟକର ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ ବିବିସିକୁ ପ୍ରଥମେ ନୋଟିସ୍ ଦିଆଯାଇଥିଲା। ନୋଟିସ୍ର ବିବିସି କୌଣସି ସକରାତ୍ମକ ଏବଂ ଦୃଢ଼ ଜବାବ ଦେଇନଥିଲା। ଆୟକର ବିଭାଗ ଏବେ ଏହି ସର୍ଭେକୁ ନେଇ ଏହା ଉପରେ କୌଣସି ଅଧିକାରୀକ ବୟାନ ଜାରି କରିନାହିଁ।