ବ୍ରହ୍ମପୁରରେ ଚେକିଂ ବେଳେ ଗାଡ଼ିରୁ ପଡ଼ି ଯୁବକ ଗୁରୁତର ହେବା ଘଟଣା, ଆସିଲା ପୋଲିସର ପ୍ରତିକ୍ରିୟା

Published By : Prameya-News7 Bureau | November 04, 2024 IST

ବହ୍ମପୁର: ଗୋପାଳପୁର ରାସ୍ତା ଛକରେ ପୋଲିସ ଚେକିଂ ସମୟରେ ବାଇକରୁ ପଡ଼ି ଯୁବକ ଗୁରୁତର ହେବା ଘଟଣା। ଏହି ଘଟଣାରେ ଏବେ ଆସିଛି ପୋଲିସର ପ୍ରତିକ୍ରିୟା।ପୋଲିସ କହିଛି ଅତ୍ୟଧିକ ମଦ୍ୟପାନ ଯୋଗୁ ଯୁବକ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ଆଉ ବାଇକରେ ପଡ଼ିଯାଇଥିଲେ। ପୋଲିସ ତାଙ୍କୁ ମାଡ଼ ମାରିନାହିଁ। ପ୍ରକୃତରେ ଯୁବକଙ୍କ ସହ ଥିବା ତାଙ୍କର କିଛି ବନ୍ଧୁ, ଚେକିଂ ସମୟରେ ପୋଲିସ ମାଡ଼ ମାରିବା ନେଇ ଅଭିଯୋଗ ଆଣିଥିଲେ। 

ତେବେ ଘଟଣାରେ ପ୍ରତିକ୍ରିୟା ରଖି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ କହିଛନ୍ତି, ‘‘ଗୋପାଳପୁର ରାସ୍ତା ଛକରେ ପୋଲିସ ଚେକିଂ ବେଳେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ତଦନ୍ତ କରିଛି। ପୋଲିସ ମାଡ଼ ମାରିନାହିଁ। ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁ ଯୁବକ ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥ ଅବସ୍ଥାରେ ପ୍ରଥମେ ଏମକେସିଜି ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଯୁବକଙ୍କ ଶରୀରରେ କୌଣସି ଆଘାତ ଲାଗି ନାହିଁ। ଏବେ ଯୁବକ ଜଣକ ସୁସ୍ଥ ଅଛି। ଏବେ ବି ତଦନ୍ତ ଜାରି ରହିଛି ।ପୋଲିସକୁ ଓଭର କରି କିଛି ଦୂର ଯିବା ପରେ ପଛରେ ବସିଥିବା ଯୁବକ ତଳେ ପଡିଯାଇଥିଲା।  ସାଥିରେ ଥିବା କିଛି ଯୁବକ ସହାୟତା କରୁଥିବା ମଧ୍ୟ ସିସିଟିଭି ଭିଜୁଆଲରୁ ଜଣାପଡ଼ିଛି ।’’ 


ସୂଚନାଥାଉକି, ରବିବାର ସନ୍ଧ୍ୟାରେ ସ୍ଥାନୀୟ ଷଣ୍ଢ ଛକ ଠାରେ ଗୋପାଳପୁର ପୋଲିସ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ପୋଲିସକୁ ଦେଖି ବାଇକରେ ଯାଉଥିବା ଦୁଇ ଯୁବକ, ବାଇକ ବୁଲାଇ ଚାଲିଯାଉଥିବାବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଗାଡ଼ିରୁ ପଡ଼ି ଗୁରୁତର ଆହତ ହୋଇଥିଲେ।ହେଲେ ଗାଡ଼ି ଅଟକାଇବା ପାଇଁ ପୋଲିସ ପଛପଟୁ ଆକ୍ରମଣ କରିଥିଲା ଏବଂ ଏହି କାରଣରୁ ଯୁବକ ଗାଡ଼ିରୁ ପଡ଼ି ଆହତ ହୋଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ସହଯୋଗୀ। ଆହତ ଯୁବକ ଜଣକ ହେଲେ ୟୁଗେନ ଶାରଫ। ଆଠ ଜଣ ଯୁବକ ୪ଟି ମୋଟରସାଇକେଲରେ ଚିଲିକାରୁ ଗୋପାଳପୁର ବୁଲିବାକୁ ଆସିଥିବା ବେଳେ ଘଟିଥିଲା ଏହି ଘଟଣା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.