LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମିଶନ ୨୦୨୪: ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା, ସୁଶାନ୍ତ କହିଲେ- ୫ରୁ ୫ ଏମପି ସିଟ୍ ଜିତିବ ଦଳ

24/05/2023 at 7:55 PM

ଭୁବନେଶ୍ଵର: ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା । ୨୦୨୪ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ୫ରୁ ୫ ଏମପି ସିଟ୍ ଏବଂ ୩୧ରୁ ଅଧିକ ବିଧାନସଭା ଆସନ ଜିତିବୁ ବୋଲି ଆଜି ଦମ୍ଭୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । କହିଛନ୍ତି ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ଗଡ଼ ମଜବୁତ୍ ପାଇଁ ତାଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ପୂର୍ବ ଅପେକ୍ଷା ଅଧିକ ସିଟ୍ ହାତେଇବ ବୋଲି ବିଜେପି  କହିଥିବା ବେଳେ ଆଦିବାସୀ ଅଂଚଳରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଦଳୀୟ ନେତା ।

ମିଶନ ୨୦୨୪ । ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା । ୫ରୁ ୫ ସାଂସଦ, ୩୧ରୁ ଅଧିକ ବିଧାନସଭା ଆସନ ଜିତିବୁ କହିଲେ ବିଜେଡି ବିଧାୟକ ସୁଶାନ୍ତ ସିଂ । ପଶ୍ଚିମରେ ଗଡ଼ ମଜବୁତ୍ ପାଇଁ ପୂର୍ବତନ ମନ୍ତ୍ରୀ ତଥା ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ମିଳିଛି ୯ଟି ଜିଲ୍ଲାର ଦାୟିତ୍ବ । ନିକଟରେ ମନ୍ତ୍ରୀ ପଦ ନପାଇବାକୁ ନେଇ ଚର୍ଚ୍ଚାରେ ଥିବା ସୁଶାନ୍ତ ସିଂ ଆଜି ମିଡିଆ ସାମ୍ନାକୁ ଆସି ନିଜର ଆଭିମୁଖ୍ୟ ଜଣାଇଥିଲେ । କହିଥିଲେ ମନ୍ତ୍ରୀ ପଦ ପାଇଁ ସେ କେବେ ଆଶାୟୀ ନଥିଲେ । ଦଳୀୟ ସଂଗଠନ କାର୍ଯ୍ୟ କରିବାକୁ ୨୦୨୨ରେ ସେ ସ୍ବଇଚ୍ଛାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ୩୫ ବିଧାନସଭା ଆସନରୁ ୩୧ରୁ ଅଧିକ ସିଟ୍ ବିଜେଡି ଜିତିବ ଏବଂ ୫ରୁ ୫ ଲୋକସଭା ସିଟ୍ ଆମେ ହାତେଇବୁ ବୋଲି ଆଜି ଦମ୍ଭୋକ୍ତି କରିଛନ୍ତି ସୁଶାନ୍ତ ସିଂ । ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ରାଜନୈତିକ ପ୍ରସ୍ତୁତି ଭିତରେ ସୁଶାନ୍ତଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିର ପାରା ବଢ଼ାଇଛି ।   

ଆମେ ଯଦି ୨୦୧୯ ନିର୍ବାଚନ ଫଳାଫଳ ଉପରେ ନଜର ପକାଇବା ତାହେଲେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୫ରୁ ୫ ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି ସବୁଠି ବିଜେପି ଏମପି ଜିତିଥିଲେ ।ସେହିଭଳି ୩୫ ବିଧାନସଭା ଆସନ ମଧ୍ୟରୁ ୨୨ ଆସନରେ ବିଜେଡି ବିଧାୟକ ଜିତିଥିବା ବେଳେ ବିଜେପି ଖାତାକୁ ଯାଇଥିଲା  ୮ଟି ଆସନ । ଆଉ କଂଗ୍ରେସ ହାତେଇଥିଲା ୪ଟି ଆସନ । ଗୋଟିଏ ଆସନରେ ସିପିଆଇ (ଏମ) ପ୍ରାର୍ଥୀ ଜିତିଥିଲେ । ତେବେ ୨୦୧୯ରେ ୨୨ଟି ବିଧାନସଭା ଆସନ ଜିତିଥିବା ବିଜେଡି ୨୦୨୪ରେ ୩୧ରୁ ଅଧିକ ବିଧାନସଭା ଆସନ ଜିତିବାକୁ ରଣନୀତି ପ୍ରସ୍ତୁତ କରିଛି । ସେହିଭଳି ବିଜେପି ହାତରେ ଥିବା ୫ରୁ ୫ ଲୋକସଭା ଆସନ ବିଜେଡି ଛଡ଼ାଇ ନେବାକୁ ଯେତେବେଳେ ସୁଶାନ୍ତ  ସିଂ ଦମ୍ଭୋକ୍ତି କରିଛନ୍ତି ସେତେବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି କହିଛି ୨୪ରେ ପଶ୍ଚିମ ଓଡ଼ିଶାରେ ବିଜେପିର ସିଟ୍ ଆହୁରି ବଢ଼ିବ । କଂଗ୍ରେସ ମଧ୍ୟ ପଶ୍ଚିମ ଓଡ଼ିଶାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି ।

ମିଶନ ୨୦୨୪କୁ ନେଇ ଏବେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ରଣନୀତି ପ୍ରସ୍ତୁତ କ୍ଷେତ୍ରରେ ଆଗୁଆ ରହିଛି ଶାସକ ଦଳ । ଉପକୂଳରୁ ଉତ୍ତର ଏବଂ ପଶ୍ଚିମରୁ ଦକ୍ଷିଣ ସବୁ କ୍ଷେତ୍ରରେ ବିଜେଡି ସଂଗଠନକୁ ମଜବୁତ୍ କରିବାକୁ ଦଳର ହେଭିଓ୍ବେଟ୍ଙ୍କୁ ଦାୟିତ୍ବ ଦିଆଯାଇଛି । ଯେହେତୁ  ପଶ୍ଚିମ ଓଡ଼ିଶାରେ ୫ରୁ ୫ ଏମପି ସିଟ୍ ବିଜେପି ହାତରେ ରହିଛି ତେଣୁ ପଶ୍ଚିମ ଓଡ଼ିଶାକୁ ଅଧିକ ଫୋକସ କରିଛି ବିଜେଡି ।

   Related Posts