ଛାତ୍ର ଜୀବନରେ ଅରୁଣଙ୍କ ଠାରୁ ହାରିଥିଲେ ଧର୍ମେନ୍ଦ୍ର - ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବଲି ପାଳନ ଅବସରରେ ଛାତ୍ର ଜୀବନର ସ୍ମୃତି ସାଉଁଟିଲେ ଅନେକ ମନ୍ତ୍ରୀ ଓ ରାଜନେତା

Published By : Prameya-News7 Bureau | November 24, 2019 IST

ଭୁବନେଶ୍ୱର ୨୪।୧୧ - ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବଲିର ଆଜି ଥିଲା ଦ୍ବିତୀୟ ଦିନ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର କ୍ୟାମ୍ପସ ଜୀବନର ସ୍ମୃତି ମନେ ପକାଇଛନ୍ତି । ଅନ୍ୟପକ୍ଷରେ, ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ବାଣୀବିହାରର ପ୍ଲାଟିନମ୍ ଜୁବଲିର ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେବେ ।

କ୍ୟାମ୍ପସକୁ ଫେରିଛନ୍ତି । ରାଜନୈତିକ ପ୍ରତିବନ୍ଧକୁ ଭୁଲି ଗୋଟିଏ ମଞ୍ଚରେ ବସିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହର ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପଞ୍ଚାନନ କାନୁନଗୋ, ପ୍ରସାଦ ହରିଚନ୍ଦନ, ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ । ଧର୍ମେନ୍ଦ୍ର ନିଜର ଛାତ୍ର ଜୀବନ କଥା ମନେ ପକାଇ କହିଥିଲେ କି, କ୍ୟାମ୍ପସ ନିର୍ବାଚନରେ ଏଠାରେ ତାଙ୍କୁ ଅରୁଣ ସାହୁଙ୍କଠୁ ହାରିବାକୁ ପଡ଼ିଥିଲା । ହେଲେ ବିଶ୍ବବିଦ୍ୟାଳୟର ଅବଦାନ ଲାଗି ଉଭୟ ବିଜେତା ଓ ପରାଜିତ ନିଜ ନିଜ କ୍ଷେତ୍ରରେ ଖୁବ୍ ଆଗକୁ ଯାଇ ପାରିଛନ୍ତି । ଏହା ସହ ବାଣୀବିହାରକୁ ୧୦୦ କୋଟିର ଅନୁଦାନ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ଉନ୍ନତି ଲାଗି କିଛିଟା ଯୋଗଦାନ କରିବାକୁ ଆହ୍ବାନ ଦେବା ସହ ସେ ନିଜର ବର୍ଷକର ଦରମା ଦେବାକୁ ଘୋଷଣା କରିଛନ୍ତି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ଭାଷାରେ ବାଣୀବିହାର ଆସିଲେ ବୟସ କମେ, ହାର୍ଟବିଟ୍ ବଢେ । ଅରୁଣଙ୍କ ଭାଷାରେ ଏ ମାଟିର ମହକ ନିଆରା । ଅନ୍ୟମାନେ ବି ନିଜ ନିଜର ଶବ୍ଦରେ ଛାତ୍ର ଜୀବନର କଥାକୁ ମନେ ପକାଇଛନ୍ତି ।

ଆସନ୍ତା ୨୭ ତାରିଖ ଯାଏଁ ଏହି ସମାରୋହ ଚାଲିବ । ତେବେ ଡିସେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀର ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.