ରାଜ୍ୟ ରାଜନୀତିରେ ମହାଭାରତ ଉପାଖ୍ୟାନ, କିଏ ପାଣ୍ଡବ ଆଉ କିଏ କୌରବ ? ମୁହାଁମୁହିଁ ବିଜେପି-ବିଜେଡି
15/03/2023 at 7:29 PM

ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ମହାଭାରତ ଉପାଖ୍ୟାନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଗତକାଲି ଦିଲ୍ଲୀରେ ଏକ ପୁସ୍କକ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭୀଷ୍ମଙ୍କ ସହ ତୁଳନା କରି ବିଜେଡିକୁ ତେରେଛା ବାଣ ମାରିଥିଲେ । ଆଉ ଏହାପରେ ଆଜି ରାଜ୍ୟ ରାଜନୀତିରେ କୌରବ, ପାଣ୍ଡବ ଓ ଶକୁନୀ ଭୂମିକାକୁ ତେଜିଛି ବୟାନବାଜି ।
ରାଜ୍ୟ ରାଜନୀତିରେ ମହାଭାରତ ଉପାଖ୍ୟାନ । କିଏ ପାଣ୍ଡବ ଆଉ କିଏ କୌରବ ? କିଏ ଭୀଷ୍ମ ପିତାମହ କିଏ ପୁଣି ଶକୁନୀ ? ଏହାକୁ ନେଇ ଜୋର୍ ଧରିଛି ବିଜେପି ଓ ବିଜେଡି ନେତାଙ୍କ ବୟାନବାଜି। ହେଲେ ଏହି ମହାଭାରତର ଆରମ୍ଭ ହେଲା କେଉଁଠୁ ? ଗତକାଲି ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରିଙ୍କୁ ଭୀଷ୍ମଙ୍କ ସହ ତୁଳନା କରି ବିଜେଡିକୁ ତେରେଛା ବାଣ ମାରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ, ଭୀଷ୍ମ ପିତାମହଙ୍କ ଇଚ୍ଛାମୃତ୍ୟୁ ଭଳି ଭର୍ତ୍ତୃହରିଙ୍କୁ କିଛି ପଦକ୍ଷେପ ନେବାକୁ ପଡ଼ିବ ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଆଜି ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଥିଲା ମହାଭାରତ ଉପାଖ୍ୟାନ । ଆଉ ପରସ୍ପରକୁ ମହାଭାରତର ବିଭିନ୍ନ ଭୂମିକାରେ ଥୋଇ ନିଶାନା ସାଧିବାକୁ ଚେଷ୍ଟା କରିଥିଲେ ଶାସକ ଓ ବିରୋଧୀ ନେତା । ପୁଣି ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଠାରୁ ଆରମ୍ଭ ହୋଇଥିଲା ମହାଭାରତର ଆଜିର ଏପିସୋଡ୍ । ଜୟନାରାୟଣ କହିଥିଲେ, ରାଜ୍ୟରେ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ହିଁ କୌରବ । ସେମାନେ ଗର୍ବ ଅହଂକାରରେ ବୁଡ଼ିଯିବେ । ଆମେ ପାଣ୍ଡବ କି କ’ଣ ଜାଣିନୁ କିନ୍ତୁ ଆମେ ଧର୍ମରେ ଅଛୁ । ଆମର କିଛି ଅସୁବିଧା ହେବନି ବୋଲି କହିଥିଲେ ଜୟ ନାରାୟଣ

ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଏଭଳି ମନ୍ତବ୍ୟ ପରେ ସାମ୍ନାକୁ ଆସିଥିଲେ ବିଜେଡି ନେତା । କହିଥିଲେ ମହାଭାରତରେ ଶକୁନୀ କୌରବ ବଂଶ ଧ୍ବଂସ କରିବାକୁ କାମ କରୁଥିଲା । ତେବେ ବର୍ତ୍ତମାନ ରାଜନୀତିର ମହାଭାରତରେ କିଏ ଶକୁନୀ, କିଏ ପାଣ୍ଡବ ଏବଂ କିଏ କୌରବ ତାହା ଆଗାମୀ ଦିନରେ ଜଣାପଡ଼ିବ । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି କହିଛି କେନ୍ଦ୍ରମନ୍ତ୍ରୀ ଆଗେ ନିଜ ଦଳ କଥା ବୁଝନ୍ତୁ । ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି । ଭର୍ତ୍ତୃହରିଙ୍କ କଥା କାହିଁକି ଚିନ୍ତା କରୁଛନ୍ତି ।ଭର୍ତ୍ତୃହରି ବାବୁ ୬ ଛଅ ଥର ସାଂସଦ ହେଲେଣି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସୁସମ୍ପର୍କ ରହିଛି । ସେ ବିଜେଡିରେ ଅଛନ୍ତି ଆଉ ରହିବେ ବୋଲି କହିଥିଲେ ବିଜେଡି ବିଧାୟକ ଭାଗିରଥୀ ସେଠୀ ।

ସେପଟେ ରାଜନୀତିର ଏହି ମହାଭାରତ ଚର୍ଚ୍ଚାରେ ମାପିଚୁପି ଉତ୍ତର ରଖିଛି କଂଗ୍ରେସ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି, ଭର୍ତ୍ତୃହରି ବାବୁ ୬ଥର ସାଂସଦ ହେଲେଣି । ତେବେ ସେ ଦଳ ପାଇଁ କିଭଳି ଅଡ଼ୁଆ । ଜନପ୍ରତିନିଧିଙ୍କ ଛବି ସବୁବେଳେ ସତ୍ୟ ହେବା ଉଚିତ୍ । ରାଜନୀତି କରୁଛୁ ମାନେ ଚର୍ଚ୍ଚାରେ ରହିବା ସ୍ବାଭାବିକ । କ୍ଷମତାକୁ ନେଇ ମହାଭାରତ ଯୁଦ୍ଧ ହୋଇଥିଲା । ଆଉ ଏଠି ବି କ୍ଷମତା ପାଇଁ ରାଜନୀତିର ମହାଭାରତ ଆରମ୍ଭ ହୋଇଛି । ହେଲେ ଏହି ଯୁଦ୍ଧରେ କିଏ ପାଣ୍ଡବ ଆଉ କିଏ କୌରବ ତାକୁ ନେଇ ରହିଛି ଦ୍ବନ୍ଦ୍ବ ।