ଆସନ୍ତା ୩ ମାସରେ ଚୀନର ୬୦% ଜନତା ହୋଇପାରନ୍ତି କରୋନା ସଂକ୍ରମିତ, ବିଶେଷଜ୍ଞଙ୍କ ଚେତାବନୀ

Published By : Prameya-News7 Bureau | December 20, 2022 IST

ନୂଆଦିଲ୍ଲୀ: ସମଗ୍ର ବିଶ୍ଵକୁ ହନ୍ତସନ୍ତ କରିଥିବା କରୋନା ମହାମାରୀ ସଂପ୍ରତି ଚୀନରେ ଆତଙ୍କ ଖେଳାଇଛି। କରୋନା ଚୀନକୁ ବେହାଲ କରି ଦେଲାଣି। କଟକଣାରେ କୋହଳ ପରେ ଚୀନରେ କରୋନା ଭାଇରସ୍‌ ମାମଲା ଅହେତୁକ ବୃଦ୍ଧି ଘଟିଛି। ଏଥିସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ମାସରେ ଚୀନର ଅବସ୍ଥା ଆହୁରି ଭୟଙ୍କର ହୋଇପାରେ। ଏପରିକି ଆଗାମୀ ତିନି ମାସରେ ଚୀନର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟା କରୋନା ସଂକ୍ରମିତ ହୋଇ ପାରନ୍ତି ଏବଂ ଲକ୍ଷାଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିପାରେ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ମହାମାରୀ ବିଶେଷଜ୍ଞ ଏରିକ ଫିଗଲ ଡିଙ୍ଗ କହିଛନ୍ତି, କଟକଣା ହଟିବା ପରେ  ଚୀନର ସ୍ଵାସ୍ଥ୍ୟବସ୍ଥା ଶୋଚନୀୟ ହୋଇ ପଡିଛି। ସ୍ଥିତି ଏମିତି ଯେ, ଆଗାମୀ ତିନି ମାସରେ ଚୀନର ୬୦ ପ୍ରତିଶତ ଜନସଂଖ୍ୟା ତଥା ପୂରା ପୃଥିବୀର ୧୦ ପ୍ରତିଶତ ଜନସଂଖ୍ୟା କରୋନା ସଂକ୍ରମିତ  ହେବାର ସମ୍ଭାବନା ରହିଛି। ଏପରିକି ଲକ୍ଷାଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିପାରେ।

ବିଶେଷଜ୍ଞ କହିଛନ୍ତି, ଚୀନ ଅଧିକାରୀ ବାର୍ଦ୍ଧକ୍ୟଙ୍କ ଟିକାକରଣ, ହସ୍ପିଟାଲ୍‌ର ରକ୍ଷଣାବେକ୍ଷଣ, ରୋଗୀଙ୍କ ଭର୍ତ୍ତି କ୍ଷମତା  ବଢାଇବା ଏବଂ ଆଣ୍ଟିଭାଇରାଲ୍ ଔଷଧ ମହଜୁଦ ସବୁଥିରେ ବିଫଳ ହୋଇଛନ୍ତି। ଆଉ ଏବେ ଏହା ୧୪୦ କୋଟି ନାଗରିକଙ୍କ ସାମ୍ନାରେ ବଡ ସମସ୍ୟା ଭାବେ ଉଭା ହୋଇଛି। ଚୀନରେ ଏମିତି ବେଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ଯେ, ଆରଟି ପିସିଆର ଟେଷ୍ଟ କରାଇବା କଠିନ ହୋଇ ପଡିଛି।

ଚୀନରେ କରୋନା କଟକଣା କୋହଳ ପରେ ବେଜିଂରେ ସୋମବାର ଏବଂ ମଙ୍ଗଳବାର ଆଉ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଶେଷଜ୍ଞ ଫିଗଲ ଡିଙ୍ଗ ଦାବି କରିଛନ୍ତି ଯେ, କରୋନା ଜନିତ ମୃତ୍ୟୁ ସଂଖ୍ୟାର ପ୍ରକୃତ ରିପୋର୍ଟ ଦିଆଯାଉ ନାହିଁ। ବାସ୍ତବରେ ଅଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି। ଚୀନରେ ଗତ ସପ୍ତାହରେ କରୋନା ଭାଇରସ୍‌କୁ ନେଇ ଲାଗୁ କଟକଣାରେ କୋହଳ କରାଯାଇଥିଲା। ଏହା ପରେ ସେଠାକାର ହସ୍ପିଟାଲ୍‌ରେ ହୁ ହୁ ହୋଇ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.