ଚାକିରି ଦେବା ନାଁରେ ଠକେଇ ଅଭିଯୋଗ; ଟଙ୍କା ନେଇ ଘରୋଇ ସଂସ୍ଥା କର୍ମଚାରୀ ଛୁ…
14/03/2023 at 8:56 PM

ଭଦ୍ରକ ୧୪/୦୩: ବେଦାନ୍ତ ଫେରୋ ଆଲୋୟେଜ୍ କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ। ପ୍ରଧାନ ଆସୋସିଏଟ୍ ପ୍ରାଇଭେଟ୍ ଲିମିଟେଡ୍ (ପିଏଏଫଏଲ୍) ନାମକ ଘରୋଇ ଠିକା ସଂସ୍ଥା ନାଁରେ ଚାକିରି ଆଶାୟୀଙ୍କ ଅଭିଯୋଗ। ଚାକିରି କରାଇଦେବେ କହି ଅନେକ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଧରା ଛୁଆଁ ଦେଉନାହାନ୍ତି ସମ୍ପୃକ୍ତ ସଂସ୍ଥାର କର୍ମଚାରୀ। ସେଥିପାଇଁ ମଙ୍ଗଳବାର ୩୦ ଜଣ ଆଶାୟୀ ସେହି ସଂସ୍ଥାର ଅଫିସ୍ ଘେରଉ କରିବା ସହ ୨ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏପରି ଘଟଣା ଟାଉନ୍ ଥାନା ଅଞ୍ଚଳରୁ ଭଦ୍ରକରୁ ସାମ୍ନାକୁ ଆସିଛି। ଏନେଇ ମଧ୍ୟ ଚାକିରି ଆଶାୟୀମାନେ ଥାନାରେ ଏତଲା ଦେଇଛନ୍ତି।

ଖବର ଅନୁସାରେ, ଆଶାୟୀ ପ୍ରାର୍ଥୀମାନେ ଚାକିରି ପାଇଁ ଆବଦନ କରି ଦୁଇଥର ଇଣ୍ଟରଭ୍ୟୁ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନେ ଚାକିରି ପାଇନାହାନ୍ତି। ଅନ୍ୟପଟେ ସମ୍ପୃକ୍ତ ସଂସ୍ଥାର କର୍ମଚାରୀମାନେ ଯୁବକମାନଙ୍କୁ ଚାକିରି ପାଇଁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ। କିଛି ଯୁବକ ସେମାନଙ୍କ କଥାରେ ମଧ୍ୟ ସେଥିପାଇଁ ଟଙ୍କା ଦେଇଛନ୍ତି। କିନ୍ତୁ ଏହା ସତ୍ୱେବି ସେମାନଙ୍କୁ ଚାକିରି ମିଳିନାହିଁ। ଫଳରେ ବୁଧବାର ସମସ୍ତ ଯୁବକ ଅଫିସ୍ ଘେରଉ କରିଥିଲେ। ସେପଟେ ଏହା ପୂର୍ବରୁ କମ୍ପାନୀର ଅନ୍ୟ କର୍ମଚାରୀମାନେ ଅଫିସ୍ ଛାଡ଼ି ଫେରାର ହୋଇଯାଇଛନ୍ତି।

ଏନେଇ ସେହି ସଂସ୍ଥାର ଅତିରିକ୍ତ ମାନବ ସମ୍ୱଳ ଅଧିକାରୀଙ୍କୁ ପଚାରିବାରୁ ‘‘ଟଙ୍କା ଦେବା କଥା ମିଛ, ପ୍ରୋସେସିଂ କରାଯାଉଛି। କିଛି ସ୍ଥାନୀୟ ଲୋକମାନେ ଅସୁବିଧା କରୁଥିବାରୁ ଗେଟପାସ ହୋଇ ପାରୁନାହିଁ। ସୂଚନାଥାଉକି, ସମ୍ପୃକ୍ତ ପିଏପିଏଲ ସଂସ୍ଥା ସର୍ବଭାରତୀୟ ସ୍ତରରେ କାମ କରୁଛି ବୋଲି ଅତିରିକ୍ତ ମାନବ ସମ୍ୱଳ ଅଧିକାରୀ କହିଛନ୍ତି। ଏହି ସଂସ୍ଥା ମାଧ୍ୟମରେ ବିଭିନ୍ନ କମ୍ପାନୀରେ ଅନେକ ଯୁବକ ନିଯୁକ୍ତି ପାଇଥିବା ସେ କହିଛନ୍ତି। ସେପଟେ ଚାକିରି ଆଶାୟୀମାନେ ତୁରନ୍ତ ଚାକିରି ପାଇଁ ଗେଟ୍ ପାସ୍ ପାଇଁ ଦାବି କରିଛନ୍ତି। ଯଦି ଗେଟ୍ ପାସ୍ ନମିଳେ ସେମାନେ ଅଫିସ୍ରେ ଧାରଣା ଦେବେ ବୋଲି କହିଛନ୍ତି।