ଆଇଟି ସେକ୍ଟରରେ ୧୦ ବର୍ଷରେ ସିଇଓମାନଙ୍କ ଦରମା ବଢିଛି ୧୫୦୦% ଅଧିକ, କିନ୍ତୁ କର୍ମଚାରୀଙ୍କ ବେଳକୁ…

Published By : Prameya-News7 Bureau | December 27, 2022 IST

ନୂଆଦିଲ୍ଲୀ: ସଂପ୍ରତି ଭାରତ ସମେତ ସମଗ୍ର ଦୁନିଆରେ ଆଇଟି କମ୍ପାନିମାନଙ୍କ ଗୁରୁତ୍ଵ ଯଥେଷ୍ଟ ବୃଦ୍ଧିପାଇଛି। ବିଶେଷ କରି ଗତ ୧୦ ବର୍ଷରେ ଅନେକ ଆଇଟି କମ୍ପାନୀ ପ୍ରତିଷ୍ଠା ହୋଇଛି ଏବଂ କିଛି ପ୍ରମୁଖ କମ୍ପାନି ନିଜର ସ୍ଥିତି ସୁଦୃଢ କରି ପାରିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଆଇଟି ସେକ୍ଟରମାନଙ୍କ ଯୋଗଦାନ ବେଶ ଉଲ୍ଲେଖନୀୟ ରହିଛି। ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ହୁଅନ୍ତୁ କିମ୍ବା ଅଧିକାରୀ ସମସ୍ତେ ମୋଟା ଅଙ୍କର ଦରମା ମଧ୍ୟ ପାଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଗତ ୧୦ ବର୍ଷରେ ଆଇଟି କମ୍ପାନିମାନଙ୍କର ସିଇଓ ଏବଂ କର୍ମଚାରୀ ତଥା ନବାଗତ କର୍ମଚାରୀମାନଙ୍କ ଦରମା ବୃଦ୍ଧି(ଇନକ୍ରିମେଣ୍ଟ) କେତେ ହୋଇଛି?

ବିଜନେସ୍‌ ଟୁଡେର ରିପୋର୍ଟ ଅନୁଯାୟୀ, ଆଇଟି ସେକ୍ଟରରେ ୧୦ ବର୍ଷ ପୂର୍ବରୁ ନବାଗତ କର୍ମଚାରୀ (ଫ୍ରେସର୍) ଯେତିକି ଦରମା ପାଉଥିଲେ ଏବେ ମଧ୍ୟ ସେମାନଙ୍କ ଦରମା ସମାନ ରହିଛି । ଅର୍ଥାତ୍‌ ଏବେ ଯେଉଁ ନବାଗତ ବିଭିନ୍ନ କମ୍ପାନୀରେ ଚାକିରିରେ ଗ ଦେଉଛନ୍ତି ସେମାନଙ୍କ ଦରମା ୧୦ ବର୍ଷ ପୂର୍ବର ଦରମା ଠାରୁ ସାମାନ୍ୟ ଅଧିକ । ଯାହା ନଗଣ୍ୟ କହିଲେ ଚଳେ । କିନ୍ତୁ ସେହି ତୁଳନାରେ କମ୍ପାନିଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କର ଦରମା ଅହେତୁକ ବୃଦ୍ଧି ପାଇଛି। ସିଇଓଙ୍କ ଦରମା ପାଖାପାଖି ୧୫୦୦ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି।

ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ସିଇଓମାନଙ୍କ ଦରମା ୧୪୯୨.୨୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ନବାଗତଙ୍କ ଦରମା ସେହି ତୁଳନାରେ ମାତ୍ର ୪୬.୯୪ ପ୍ରତିଶତ ବୃଦ୍ଧି ଘଟିଛି। ଇନଫୋସିସ୍‌ର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ଟି.ଭି. ମୋହନଦାସ ପାଇ କହିଛନ୍ତି ଯେ, 'ନବାଗତଙ୍କ ଦରମାରେ କୌଣସି ବୃଦ୍ଧି ଘଟିନାହିଁ । ୧୦/ ୧୨ ବର୍ଷ ପୂର୍ବରୁ ସେମାନେ ୩.୫ରୁ ୪ ଲକ୍ଷ ଟଙ୍କା ବାର୍ଷିକ ଦରମାରେ ଆଇଟି କମ୍ପାନୀମାନଙ୍କରେ ଯୋଗ ଦେଉଥିଲେ । ଏବେ ମଧ୍ୟ ଫ୍ରେସରମାନେ ସେତିକି ଟଙ୍କାରେ ଚାକିରି ଆରମ୍ଭ କରୁଛନ୍ତି । ସେହି ତୁଳନାରେ ଜଣେ ମ୍ୟାନେଜର କିମ୍ବା ବରିଷ୍ଠଙ୍କ ଦରମା ୪ ରୁ ୫ ଗୁଣ ବୃଦ୍ଧିପାଇଛି'।

HCL ଟେକନୋଲୋଜିର ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୀତ ନାୟାର କହିଛନ୍ତି, 'କର୍ମଚାରୀମାନେ ହେଉଛନ୍ତି କମ୍ପାନିର ମେରୁଦଣ୍ଡ। କମ୍ପାନୀ ଉନ୍ନତିରେ ସେମାନଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ମ୍ୟାନେଜମେଣ୍ଟର ମୌଳିକତା ଏବଂ ଆଧାର ବାବଦରେ କିଛି ବୁଝି ହେଉନାହିଁ। କେହି ଜଣେ ହେଲେ  କମ୍ପାନି କର୍ମଚାରୀଙ୍କ ପ୍ରତି ଅନୁକମ୍ପା ଦେଖାଉଥିବାର ଦୃଷ୍ଟାନ୍ତ ନାହିଁ। ଯେ କୌଣସି କମ୍ପାନି ମ୍ୟାନେଜମେଣ୍ଟର କର୍ତ୍ତବ୍ୟ ହେଉଛି ନିଜ କର୍ମଚାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କୁ ସୁହେଇଲା ପରି ବଜେଟ୍‌ରୁ ଟଙ୍କା ଖର୍ଚ୍ଚ କରିବା । ତେବେ ହେଲେ ଯାଇ କମ୍ପାନିଗୁଡିକ ୧୦ ଗୁଣା ଅଧିକ ରିଟର୍ଣ୍ଣ ପାଇ ପାରିବେ'।

ଭାରତରେ କିଛି ପ୍ରମୁଖ ଆଇଟି କମ୍ପାନୀ ମାନଙ୍କ ଉପରେ ନଜର ପକାଇଲେ ସ୍ପଷ୍ଟ ଜଣାପଡୁଛି ଯେ, କେବଳ ସିଇଓମାନେ ହିଁ ମୋଟା ଅଙ୍କର ଦରମାରେ ଯୋଗ ଦେଉଛନ୍ତି। ଅନୁପାତିକ ହିସାବ ଦେଖିଲେ, ଇନଫୋସିସ୍‌ ସିଇଓ ୧୦ ବର୍ଷ ପୂର୍ବରୁ ଯେତିକି ଟଙ୍କାରେ ଯୋଗ ଦେଉଥିଲେ ଏବେ ତାଠାରୁ ୧୯୭୩ ଗୁଣା ଅଧିକ ଟଙ୍କାରେ ଯୋଗଦେଉଛନ୍ତି। ସେହିଭଳି ଓ୍ବିପ୍ରୋରେ ୨୧୧୧%, ଏଚସିଏଲ୍‌ରେ ୧୦୨୦%, ଟେକ୍‌ ମହିନ୍ଦ୍ରାରେ ୬୪୪ ପ୍ରତିଶତ ଓ ଟିସିଏସ୍‌ ସିଇଓ ପଦବୀ ପାଇଁ ଦରମା ୧୦ ବର୍ଷ ମଧ୍ୟରେ ୬୧୯% ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.