କର୍ଣ୍ଣାଟକରେ ବୋମାଇଙ୍କ ବିଜେପି ସରକାର ଦୁର୍ନୀତି କରୁଛି: ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୩ ହଜାର ସ୍କୁଲ୍‌

Published By : Prameya-News7 Bureau | August 27, 2022 IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବାସବରାଜ ବୋମାଇଙ୍କ ବିଜେପି ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଏଥିପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧ୍ୟାନ ଦେବା ଦରକାର। କର୍ଣ୍ଣାଟକରେ ୧୩ ହଜାର ସ୍କୁଲ୍‌ର ପ୍ରତିନିଧିତ୍ୱ କରୁଥିବା ଦୁଇଟି ସଂଗଠନ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।  

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆସୋସିଏଟ୍ ମ୍ୟାନେଜ୍‌ମେଣ୍ଟ ଏବଂ ପଞ୍ଜିକୃତ ବେସରକାରୀ ସ୍କୁଲ୍ ମ୍ୟାନେଜ୍‌ମେଣ୍ଟ ଆସୋସିଏସନ୍‌ ପକ୍ଷରୁ ଏହି ଘଟଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଶିକ୍ଷା ସଂସ୍ଥାନଗୁଡ଼ିକୁ ମାନ୍ୟତା ଦେବା ପାଇଁ ରାଜ୍ୟ ଶିକ୍ଷା ବିଭାଗ ଲାଞ୍ଚ ମାଗୁଛି ବୋଲି ମ୍ୟାନେଜମେଣ୍ଟ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିବା ସହ ଘଟଣାକୁ ଗୁରୁତର ସହ ନେବାକୁ ଅନୁରୋଧ କରିଛି।  

ସରକାରୀ ଅନୁଦାନ ପାଉନଥିବା ଘରୋଇ ସ୍କୁଲ୍ ଉପରେ ଅଯଥା ଭେଦଭାବ ସହ ବେଆଇନ ମାନଦଣ୍ଡ ଲଗାଇ ଦୁର୍ନୀତି କରାଯାଉଛି। ଏନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ବିସି ନାଗେଶଙ୍କୁ ଅନେକ ଥର ଜଣାଇବା ପରେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି କି ଅଭିଯୋଗ ଶୁଣୁ ନାହାଁନ୍ତି। ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଚିଠିରେ ଦାବି କରାଯାଇଛି।

ଚିଠିରେ ଆହୁରି କୁହାଯାଇଛି “ ଶିକ୍ଷାମନ୍ତ୍ରାଳୟର ପୂରା ସିଷ୍ଟମର ବାସ୍ତବିକାତ ଓ ଦୟନୀ ସ୍ଥିତି ବିଷୟରେ ଶୁଣିବା ଏହାର ସମାଧାନ କରିବା ଦିଗରେ ଧୈର୍ଯ୍ୟ ନାହିଁ।” ବିଜେପିର ଦୁଇ ମନ୍ତ୍ରୀ କମର୍ଶିଆଲ୍ ସ୍କୁଲ୍ ଠାରୁ ବଜେଟ୍‌ସ୍କୁଲଗୁଡ଼ିକୁ ଅଧିକ କ୍ଷତି ପହଞ୍ଚାଇଛନ୍ତି। ଫଳରେ କମର୍ସିଆଲ୍ ସ୍କୁଲ୍‌ଗୁଡିକ ଅଧିକ ନିବେଶ ପାଇଁ ଆହ୍ୱାନ ଦେଇ ଶିକ୍ଷାକୁ ମହଙ୍ଗା କରିଦେଉଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି।  

ସେହିଭଳି ପୁସ୍ତକ ବଣ୍ଟନରେ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରାଯାଉ ନାହିଁ। ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଥିଲେ ବି ସ୍କୁଲଗୁଡ଼ିକୁ ବହି ଆସିପାରୁ ନାହିଁ।  ତେବେ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କରାଯାଇଥିବା ସମସ୍ତ ଦୁର୍ନୀତି ଅଭିଯୋଗକୁ ପ୍ରଧାନମନ୍ତ୍ରୀ ତଦନ୍ତ କରି ବାହାର କରନ୍ତୁ ବୋଲି ଚିଠିରେ ଦାବି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.