ଚାକିରି ଦେବାକୁ କହି ଠକିନେଲେ ୨.୬ କୋଟି, ଶିକାର ହେଲେ ୨୫ ଯୁବକ
20/12/2022 at 10:40 PM

ନୂଆଦିଲ୍ଳୀ, ୨୦/୧୨: ଚାକିରି ଦେବାକୁ କହି ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଥାଏ। ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ୨୫ ଜଣକଠାରୁ ୨.୬ କୋଟି ଟଙ୍କା ଠକି ନେଇଛନ୍ତି ଠକ। ଏମାନଙ୍କୁ ରେଳବାଇରେ ଚାକିରି କରାଇଦେବାକୁ କୁହାଯାଇଥିଲା। ବଡ଼ କଥା ହେଉଛି ସେମାନଙ୍କୁ ଷ୍ଟେସନରେ ଟ୍ରେନିଂ ପାଇଁ ମଧ୍ୟ ପଠାଯାଇଥିଲା ଏବଂ ସେମାନେ ଷ୍ଟେସନରେ କୁହାଯାଇଥିବା କାମ କରୁଥିଲେ।
ସୂଚନା ଅନୁଯାୟୀ, ତାମିଲନାଡୁର ୨୫ ଜଣ ଯୁବକଙ୍କୁ ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନରେ ଟିଟିଇ ଭାବରେ ନିୟୋଜିତ କରିବାକୁ କହିଥିଲେ ଠକ। ଆଉ ଟ୍ରେନିଂ ପାଇଁ ନିୟୋଜିତ କରିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ଟିଟିଇ ଏବଂ କ୍ଲର୍କ କାମ କରିବାକୁ କହି ଫସାଇଥିଲେ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ତାମିଲନାଡୁର ଅବସରପ୍ରାପ୍ତ କର୍ମଚାରୀ ଘଟଣାକୁ ନେଇ ଏଫଆଇଆର ରୁଜୁ କରିଥିଲେ। ପ୍ରକୃତରେ ଏମ ସବବୁସ୍ବାମୀ, ସେମାନଙ୍କର ପଡ଼ୋଶୀ ଏବଂ ସ୍ଥାନୀୟ ଯୁବକଙ୍କୁ ଦିଲ୍ଳୀରେ ଚାକିରି କରାଇବାକୁ ନେଇଥିଲେ। କିନ୍ତୁ ପରେ ସେ ଜାଣିବାକୁ ପାଇଥିଲେ ଯେ ସେମାନେ ଠକାମୀର ଶିକାର ହୋଇଛନ୍ତି। ନଭେମ୍ବରରେ ପୋଲିସ ସବବୁସ୍ବାମୀଙ୍କ ସୂଚନା ଆଧାରରେ ଏଫଆଇଆର ରୁଜୁ କରିଥିଲା।
ସେ ଏଫଆଇଆରରେ କହିଥଲେ ଯେ ହାଇଦ୍ରାବାଦରେ ଜଣେ ଯୁବକ ଶିବରମନ ସହ ତାଙ୍କର ଭେଟହୋଇଥିଲା। ଶିବରମନ ସେମାନଙ୍କୁ ଚାକିରି କରାଇଦେବାକୁ କହିଥିଲେ। ଏହାପରେ ନର୍ଦନ ରେଲଓ୍ବେ ରେ ଟ୍ରେନିଂ ପାଇଁ ପଠାଇଥିଲେ ଏବଂ ରେଜିଷ୍ଟେ୍ରସନ ବାବଦକୁ ୩୩ ଲକ୍ଷ ଟଙ୍କା ମାଗିଥିଲେ।ଜଣେ ପୀଡ଼ିତ ଟଙ୍କା ମଧ୍ୟ ଦେଇଥିଲେ। ତାଙ୍କୁ ଟ୍ରେନ୍ ଏବଂ ବଗି ଗଣିବାକୁ କୁହାଯାଇଥିଲା। ସେହିପରି ଆଉଜଣେ ୨୭ ଲକ୍ଷ ଟଙ୍କା ଦେଇଥିଲେ ଏବଂ ତାଙ୍କୁ ଟ୍ରେନିଂ ଏବଂ ସାର୍ଟିଫିକେଟ ପାଇଁ ଡକାଯାଇଥିଲା। ତେବେ ଏମାନଙ୍କୁ ଦେଖି ପ୍ରାୟ ୨୫ ଜଣ ଯୁବକ ଟଙ୍କା ଦେଇଥିଲେ। ପରେ ସେମାନଙ୍କୁ ଟ୍ରେନିଂ ଏବଂ ସାର୍ଟିଫିକେଟ୍ ପାଇଁ ଦିଲ୍ଳୀ ଡକାଯାଇଥିଲା। ସେମାନଙ୍କୁ ମିଛ ମେଡିକାଲ ଟେଷ୍ଟ ଏବଂ ଡକ୍ୟୁମେଣ୍ଟ ଭେରିଫକେସନ ମଧ୍ୟ କରାଯାଇଥିଲା।
ଏହି ରାକେଟ୍ରେ ବିକାଶ ରାଣା ଏବଂ ଅନ୍ୟ ଜଣେ ସାମିଲ୍ ଅଛନ୍ତି ବୋଲି ଏଫଆଇଆରରେ କହିଛନ୍ତି ସବବୁସ୍ବାମୀ। ତେବେ ଏଫଆଇଆର ଆଧାରରେ ପୋଲିସ ଏହି ମାମଲାର ତଦନ୍ତ କରୁଛି।