ଝାରସୁଗୁଡ଼ା ୨୧/୦୭: କରୋନା ସଂକ୍ରମଣ ବଢ଼ୁଥିବାରୁ ଝାରସୁଗୁଡ଼ାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ସ୍ଥାନମାନଙ୍କରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏକ କାର୍ଯ୍ୟାଳୟ ଆଦେଶ ଜାରିପୂର୍ବକ ଜିଲ୍ଲାପାଳ ଚଳିତ ଜୁଲାଇ ମାସ ୨୧ରୁ ଆଗାମୀ ଏକ ମାସ ବ୍ୟାପୀ ସମସ୍ତ ଜିଲ୍ଲାବାସୀଙ୍କ ପାଇଁ ଏହି ମାସ୍କ ପିନ୍ଧିବା ନିୟମ ବାଧ୍ୟତାମୂଳକ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଓ ସାମୁହିକ ପରିଚ୍ଛନତା ଅବଲମ୍ବନ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି।
ଜିଲ୍ଲାର ସମସ୍ତ ତହସିଲଦାର ଅଧିକୃତ ଅଧିକାରୀ ଭାବରେ ସମ୍ପୃକ୍ତ ଅଞ୍ଚଳରେ ଜିଲ୍ଳାପାଳଙ୍କ ଆଦେଶ ଅନୁପାଳନ ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାରେ ଏହି ଆଦେଶ ଯେପରି ଠିକ୍ ଭାବେ ପାଳନ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ସୂଚନା ଦିଆଯାଇଛି। ଆଦେଶ ଉଲଂଘନକାରୀଙ୍କ ବିରୁଦ୍ଧରେ ଏପିଡେମିକ ଡିଜିଜ ଆକ୍ଟ ଓ ପ୍ରଚଳିତ କୋଭିଡ ରେଗୁଲେସନ ଅନୁସାରେ ଦଣ୍ଡବିଧାନ କରାଯିବ।