ଚାଞ୍ଚଲ୍ୟ: କଲେଜ୍ ପ୍ରିନ୍ସିପାଲଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଛାତ୍ର, ଅବସ୍ଥା ସଙ୍କଟାପନ୍ନ
21/02/2023 at 7:21 PM

ଭୋପାଳ: ଏକ ଘରୋଇ କଲେଜ୍ର ମହିଳା ପ୍ରିନ୍ସିପାଲଙ୍କୁ ପୂର୍ବତନ ଛାତ୍ର ପଟ୍ରୋଲ ଢାଳି ନିଆଁ ଲଗାଇଦେବା ପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଏସିଛି। ଏମିତି ବିଭର୍ତ୍ସକର ଘଟଣା ମଧ୍ୟ ପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ମହିଳା ପ୍ରିନ୍ସିପାଲଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବାମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାର ଖୋଳତାଡ କରି ଅଭିଯୁକ୍ତକୁ ଗିରଫ କରିଛି।
କୁହାଯାଉଛି ବିବାଦୀୟ ମାର୍କସିଟ୍କୁ ନେଇ ଅଭିଯୁକ୍ତ ଚାରି ମାସ ପୂର୍ବେ ଅନ୍ୟ ଏକ ପ୍ରଫେସରଙ୍କ ଉପରେ ଛୁରିରେ ଆକ୍ରମଣ କରିଥିଲା। ସେହି ସମୟରେ ପୋଲିସ୍ ଗିରଫ କରିଥିଲେ ହେଁ ଅଭିଯୁକ୍ତ ମୁକୁଳି ଯାଇଥିଲା। ପୋଲିସ୍ ମହାନୀରିକ୍ଷକ ରାଜେଶ ଗୁପ୍ତା କହିଛନ୍ତି, ସିମରୋଲ ଅଞ୍ଚଳରେ ଏକ ଘରୋଇ ବିଏମ କଲେଜ୍ ଅଫ ଫାର୍ମାସୀର ପ୍ରିନ୍ସିପାଲ୍ ବିମୁକ୍ତା ଶର୍ମା(୫୪)ଙ୍କୁ ତାଙ୍କ କଲେଜର ଜଣେ ପୂର୍ବତନ ଛାତ୍ର ଆଶୁତୋଷ ଶ୍ରୀବାସ୍ତବ(୨୪) ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ପ୍ରିନ୍ସିପାଲଙ୍କ ୮୦ ପ୍ରତିଶତ ଶରୀରର ଜଳି ଯାଇଛି ଏବଂ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ସମୟରେ ସେ କଲେଜ୍ ପରିସରରେ ଏକ ବେଲ ଗଛରୁ ପତ୍ର ତୋଳୁଥିଲେ।
ଜେରା ସମୟରେ ଅଭିଯୁକ୍ତ ଦାବି କରିଛି ଯେ, ସେ ଉକ୍ତ କଲେଜ୍ରେ ବି ଫାର୍ମା କରିଛନ୍ତି। ଗତ ବର୍ଷ ଜୁଲାଇରେ ହୋଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତଥାପି ଏ ପର୍ଯ୍ୟନ୍ତ ତାଙ୍କୁ ମାର୍କସିଟ୍ ଦିଆଯାଇ ନାହିଁ। କଲେଜ୍ ଅଧିକାରୀଙ୍କ ବି କହିବା କଥା ଅଭିଯୁକ୍ତଙ୍କ ମାର୍କସିଟ୍ ଏ ଯାଏଁ ସେମାନଙ୍କ ନିକଟରେ ପହଞ୍ଚି ନାହିଁ।
ପୋଲିସ୍ ଅନୁଯାୟୀ, ଶ୍ରୀବାସ୍ତବ ଏହି ବିବାଦକୁ ନେଇ ଚାରି ମାସ ପୂର୍ବେ କଲେଜର ଏକ ପ୍ରଫେସରଙ୍କୁ ଛୁରିରେ ଆକ୍ରମଣ କରିଥିଲା। ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତେବେ ଜାମିନରେ ସେ ମୁକୁଳି ଯାଇଥିଲା। ଆଉ ଏବେ ପ୍ରିନ୍ସିପାଲଙ୍କୁ ଜାଳି ଦେଇଛି।
ଗ୍ରାମୀଣ ଏସପି ଭଗବତ ସିଂ ବିର୍ଦେ କହିଛନ୍ତି, ଶ୍ରୀବାସ୍ତବ ସୋମବାର ଘଟଣା ପରେ ତିଞ୍ଛା ଝରଣାରେ ପହଞ୍ଚିଥିଲା ଏବଂ ଡେଇଁବାକୁ ଯାଉଥିଲା। ଏହା ଦେଖି ଜଣେ ବ୍ୟକ୍ତି ୧୦୦ରେ କଲ୍ କରିବାରୁ ପୋଲିସ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଅଭିଯୁକ୍ତକୁ ଧରି ନେଇଥିଲେ।