କରୋନାରେ ବୁଡିଗଲା କର୍ପୋରେଟ୍ ଟ୍ରେନ୍ ସେବା, ‘ତେଜସ ଏକ୍ସପ୍ରେସ୍’କୁ ଏବେ ପ୍ରଭୁ ଶ୍ରୀରାମଚନ୍ଦ୍ର ଭରସା !

Published By : Prameya-News7 Bureau | December 20, 2020 IST

ଏଲହାବାଦ ୨୦।୧୨: କରୋନା ଯୋଗୁ ‘କର୍ପୋରେଟ’ ରେଳ ସେବା ଯୋଜନା ବନ୍ଦ ଅବସ୍ଥାକୁ ଚାଲିଯାଇଛି। ଏଥିରେ ଚଳାଯାଇଥିବା ଦିଲ୍ଲୀ-ଲକ୍ଷ୍ନୌ ‘ତେଜସ୍ ଏକ୍ସପ୍ରେସ୍’ ବନ୍ଦ ହୋଇଯାଇଛି। ପ୍ରାୟ ବର୍ଷକ ପୂର୍ବେ ରେଳରେ ବିମାନ ଯାତ୍ରାର ଅନୁଭବ ଲାଗି ଏହି ଟ୍ରେନ ସେବା ଆରମ୍ଭ ହୋଇଥିଲା। ତେବେ ପ୍ରଥମେ କରୋନା ଲକଡାଉନ ଓ ପରେ ଯାତ୍ରୀ ନ ହେବା କାରଣରୁ ଟ୍ରେନର ଚଳାଚଳ ବାତିଲ ହୋଇଥିବା ଜଣାପଡିଛି।

{"id":380242,"sizeSlug":"large","linkDestination":"none"}

ଦେଶର ପ୍ରଥମ କର୍ପୋରେଟ ଟ୍ରେନକୁ ଚଳାଇ ରଖିବାକୁ ଉତ୍ତର ରେଳ ମୁଖ୍ୟାଳୟ ଓ ରେଳବାଇ ବୋର୍ଡ ଅଧିକାରୀମାନେ ମାନସମନ୍ଥନରେ ଲାଗିଛନ୍ତି। ଏହି ଟ୍ରେନକୁ ଅଯୋଧ୍ୟା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲେ ହୁଏତ ଯାତ୍ରୀ ହୋଇପାରନ୍ତି ବୋଲି ରେଳବାଇ ଅଧିକାରୀମାନେ ବିଚାର କରୁଛନ୍ତି।   ଅଯୋଧ୍ୟାରେ ଏବେ ଶ୍ରୀରାମ ମନ୍ଦିର ନିର୍ମାଣ ହେଉଛି। ଏଣୁ ଦେଶବିଦେଶରୁ ଲୋକେ ଅଯୋଧ୍ୟା ଯିବା ଲାଗି ତେଜସ୍‌ରେ ଟିକେଟ୍ କରିପାରନ୍ତି ବୋଲି ରେଳବାଇ ଅଧିକାରୀମାନେ ବିଚାର କରୁଛନ୍ତି।

{"id":380243,"sizeSlug":"large","linkDestination":"none"}

ଟ୍ରେନକୁ ଚାରବାଗ, ବାରାବାଙ୍କୀ ରାସ୍ତାରେ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଇବାକୁ ଯୋଜନା କରାଯାଉଛି।  ତେବେ ଟ୍ରେନ ଅଯୋଧ୍ୟାପର୍ଯ୍ୟନ୍ତ ଯିବ କି ନା ସେ ନିଷ୍ପତ୍ତି ରେଳବାଇ ବୋର୍ଡ ନେବେ। ହେଲେ ଏଥିଲାଗି ଟ୍ରେନ ସିଡ୍ୟୁଲ ଓ ରହଣୀ ଆଦି ବିନ୍ଦୁରେ ଚର୍ଚ୍ଚା ଲାଗି ଅଧିକାରୀ ରିପୋର୍ଟ ମାଗିଥିବା ଜଣାପଡିଛି। ଦେଶର ପ୍ରଥମ କର୍ପୋରେଟ ଟ୍ରେନ ସେବାକୁ ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ (ଆଇଆରସିଟିସି)  ଆରମ୍ଭ କରିଥିଲେ।

{"id":380248,"sizeSlug":"large","linkDestination":"none"}

ରେଳରେ ବିମାନ ଯାତ୍ରାର ଅନୁଭବ ଦେବା ଲାଗି ଟ୍ରେନରେ ଆରାମପ୍ରଦ ସିଟ୍‌ ସମେତ ପର୍ସନାଲ ଏଲସିଡି ଏଣ୍ଟରଟୈନମେଣ୍ଟ କମ୍‌ ଇନଫର୍ମେସନ ସ୍କ୍ରିନ, ଅନବୋର୍ଡ ୱାଇ-ଫାଇ, ମଡ୍ୟୁଲାର ବାୟୋ ଟୟଲେଟ, ପର୍ସନାଲ ରିଡିଂ ଲାଇଟସ୍, ବିମାନ ଭଳି ହଷ୍ଟେସ୍ ସେବା ଆଦି ମଧ୍ୟ ଟ୍ରେନରେ ଦିଆଯାଉଥିଲା। ତେବେ କରୋନା ଯୋଗୁ ଟ୍ରେନ ଲାଗି ଏବେ ଯାତ୍ରୀ ହେଉ ନାହାନ୍ତି। ଏଣୁ ନଭେମ୍ବର ୨୩ରୁ ଟ୍ରେନର ଯାତ୍ରା ବାତିଲ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.