କରୋନା: ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଲେ ରେକର୍ଡ ସଂଖ୍ୟକ ରୋଗୀ, ଚିହ୍ନଟ ହେଲେ ୩୯୦୦ ସଂକ୍ରମିତ
5/05/2020 at 5:27 PM

ନୂଆଦିଲ୍ଲୀ ୦୫।୦୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ଲକ୍ଡାଉନ୍ ପରି କଠୋର ପଦକ୍ଷେପ ପରେ ବି ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରି ନାହିଁ। ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟାରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୨୪ ଘଣ୍ଟାରେ କରୋନା ଭାଇରସ୍ର ୩୯୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ପଜିଟିଭ୍ ସଂଖ୍ୟା ୪୬, ୪୩୩କୁ ବୃଦ୍ଧି ଘଟିଛି। ସେହି ପରି ଗତ ୨୪ ଘଣ୍ଟାରେ ୧୯୫ ଜଣଙ୍କ ମୃତ୍ୟୁ ଘିଛି। ଯାହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ମାମଲାରେ ସର୍ବାଧିକ ରହିଛି। ଏହାକୁ ମିଶାଇ ଦେଶରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଞ୍ଚିଛି।
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ କହିଛନ୍ତି, ଗତ ୨୪ ଘଣ୍ଟାରେ ୧୦୨୦ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ହେବା ରୋଗୀଙ୍କ ସଂଖ୍ୟା ୧୨,୭୨୬କୁ ବୃଦ୍ଧି ଘଟିଛି। ଏବେ ଦେଶରେ ସୁସ୍ଥ ହେବା ହାର ୨୭.୪୧ ପ୍ରତିଶତ ହୋଇଛି। ଗତ ୫ ଦିନରେ ଦେଶରେ କରୋନା ୧୪,୪୮୦ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହେଇଛନ୍ତି। ଯାହା ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ।
ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା କହିଛନ୍ତି, ସାମାଜିକ ଦୂରତ୍ଵ ବଜାୟ ରଖିବା ଲାଗି ବିବାହ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକଙ୍କ ଏକତ୍ରକୁ ଅନୁମତି ଦିଆଯାଇ ନାହିଁ। ଏହା ସହିତ ମୃତକଙ୍କ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ। ଲକ୍ଡାଉନ୍ ସମୟରେ ଗୋଟିଏ ଦୋକାନରେ ୫ରୁ ଅଧିକ ଲୋକ ଏକତ୍ର ହୋଇ ପାରିବେ ନାହିଁ। ଏହି ଲୋକଙ୍କୁ ମଧ୍ୟ ମାସ୍କ ଲଗାଇବା ଉଚିତ୍। ଏହା ସହିତ ସାମାଜିକ ଦୁରତା ପାଳନ କରିବାକୁ ପଡିବ।
ସେ କହିଛନ୍ତି ଅନ୍ୟ ରାଜ୍ୟରେ ଫସିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଆଣିବା ଲାଗି ଏ ପର୍ଯ୍ୟନ୍ତ ଭାରତୀୟ ରେଲଓ୍ଵେ ୬୨ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ୍ ସଞ୍ଚାଳନ କରିଛି। ଆଜି ଆହୁରି ୧୩ ଟ୍ରେନ୍ ଚଳାଯାଇଛି।