ହରିୟାଣାରେ ବିଜେପି ସରକାର ଉପରେ ବଡ ବିପଦ, ଖଟ୍ଟର ସରକାରକୁ ଭାଙ୍ଗିବା ପାଇଁ ଅଣ୍ଟା ଭିଡିଲେ ୪୦ ଖାପ୍ ପଞ୍ଚାୟତ, ଏମିତି ରହିଛି ଯୋଜନା…

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨।୧୨: ସମଗ୍ର ଦେଶରେ ସଂଗଠନ ବିସ୍ତାର କରିବାର ରଣନୀତି ସହ ଆଗକୁ ବଢୁଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ହରିୟାଣାରୁ ଆସିଛି ସବୁଠୁ ବଡ ଖବର। ଏଠାକାର ୪୦ ଖାପ୍ ପଞ୍ଚାୟତ ଖଟ୍ଟର ସରକାରଙ୍କୁ ଭାଙ୍ଗିବା ପାଇଁ ବଡ ବୟାନ ଦେଇଛନ୍ତି। ହରିୟାଣାର ଜିନ୍ଦ ଜିଲ୍ଲାରେ ୪୦ ଖାପ୍‌ର ମହାପଞ୍ଚାୟତ ଏକ ହୋଇଛନ୍ତି।

ଏହି ମହା ପଞ୍ଚାୟତରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାପଞ୍ଚାୟତରେ ଖାପ୍ ନିଷ୍ପତ୍ତି ନେଇଛି ଯେ, ସେମାନେ ହରିୟାଣାରେ ଖଟ୍ଟର ସରକାରକୁ ଧରାଶାୟୀ କରିବା ଲାଗି ଅଭିଯାନ ଆରମ୍ଭ କରିବେ। ନିକଟରେ ହରିୟାଣାରେ ବିଜେପିର ସହଯୋଗୀ ଦଳ ଜେଜେପି ମଧ୍ୟ କୃଷକ ଆନ୍ଦୋଳନ ପାଇଁ କେନ୍ଦ୍ରର ନୀତିକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଥିଲା। ତେଣୁ ଆଶଙ୍କା କରାଯାଉଛି ଯେ, ରାଜ୍ୟରେ ଖଟ୍ଟର ସରକାର ଉପରେ ଉଭୟ ପଟୁ ବିପଦ ରହିଛି।

ବିଧାୟକଙ୍କ ଉପରେ ମସର୍ଥନ ପ୍ରତ୍ୟାହାର କରିବାର ଚାପ

ଖାପ ପଞ୍ଚାୟତର ଘୋଷଣା ଅନୁଯାୟୀ, ଏବେ ସେମାନେ ଯେଉଁ ବିଧାୟକ ଖଟ୍ଟର ସରକାରଙ୍କୁ ସମର୍ଥନ ଦେଇଛନ୍ତି ସେମାନଙ୍କ ଉପରେ ଚାପ ପକାଇବା ଉପରେ କାର୍ଯ୍ୟ କରିବେ। ଖାପ୍ ନେତା ଏମିତି ବିଧାୟକଙ୍କ ଉପରେ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବାର ଚାପ ପକାଇବେ। ଏଥିପାଇଁ ବିଧାୟକଙ୍କୁ ଭେଟି ବିସ୍ତୃତ ଆଲୋଚନା କରିବେ।

ଯଦି ବିଧାୟକ ସେମାନଙ୍କ ଅପିଲ୍ ସ୍ଵୀକାର କରନ୍ତି ତେବେ ଭଲ କଥା। ନଚେତ୍ ଖାପ୍ ଏମିତି ନେତାଙ୍କ ଗାଁରେ ପ୍ରବେଶ କରିବାକୁ ଦେବେ ନାହିଁ। ଏହାର ପରିଣାମ ବିଧାୟକଙ୍କୁ ନିର୍ବାଚନରେ ଭୋଟ୍ ହରାଇ ଦେବାକୁ ପଡିବ। ଖାପ୍ ପଞ୍ଚାୟତ କେନ୍ଦ୍ର ସରକାରଙ୍କ କୃଷକଙ୍କ ପ୍ରତି ରହିଥିବା ଆଭିମୁଖ୍ୟକୁ ତାନାଶାହା ଆଖ୍ୟା ଦେଇଛନ୍ତି। କେବଳ ଏତିକି ନୁହେଁ କୃଷକଙ୍କୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଖାପ ପଞ୍ଚାୟତର ନେତା ଦିଲ୍ଲୀ ବର୍ଡର ପହଞ୍ଚିଛନ୍ତି। ଖାପ୍ ଘୋଷଣା କରିଛି ଯେ, ଯଦି ଆବଶ୍ୟକ ପଡେ ତେବେ ପୂରା ହରିୟାଣାରୁ ଏକ ଖାପ ପଞ୍ଚାୟତର ଆୟୋଜନ କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.