ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଗେଇବ ଭାରତ: ଖୋଲିବ ୩ ସେଣ୍ଟର ଅଫ୍ ଏକ୍ସିଲେନ୍ସ
1/02/2023 at 5:35 PM

ନୂଆଦିଲ୍ଲୀ: ଆମେରିକା, ଜାପାନ ଓ ଚୀନ ଭଳି ବିଭିନ୍ନ ବିକାଶୀଳ ଦେଶରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI)ରେ ଅନେକ ଅଗ୍ରଗତି ହୋଇଛି। ଖୁବ୍ କମ୍ ସମୟରେ ଏଆଇ ଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ଅନେକ କାମ କରିପାରୁଛନ୍ତି। ଭାରତ ମଧ୍ୟ ଏ ଦିଗରେ ଆଗକୁ ବଢ଼ିବା ପାଇଁ ଯୋଜନା ଆରମ୍ଭ କରିଦେଇଛି। ଏଥିପାଇଁ ୨୦୨୩ ବଜେଟରେ ସ୍ୱତନ୍ତ୍ର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶରେ ଏଆଇର ବିକାଶ ପାଇଁ ୩ ଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍ଥାପନ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶର ମୁଖ୍ୟ ଶିକ୍ଷା ସଂସ୍ଥାନଗୁଡ଼ିକରେ ଏହି ସେଣ୍ଟର ଖୋଲିବ ବୋଲି ବଜେଟ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
ଏନେଇ ଅର୍ଥମନ୍ତ୍ରୀ କହିଛନ୍ତି “ ଦେଶର ପ୍ରମୁଖ ଉଦ୍ୟୋଗଗୁଡ଼ିକ ଇଣ୍ଟରଡିସିପ୍ଲିନାରୀ ରିସର୍ଚ୍ଚ କ୍ଷେତ୍ରରେ ସହଯୋଗ କରିବେ। କୃଷୀ, ସ୍ୱାସ୍ଥ୍ୟ ଓ ସ୍ଥାୟୀ ବିକଶିତ ସହରଗୁଡ଼ିକରେ ଥିବା ସମସ୍ୟାର ସମାଧାନ ପାଇଁ କଟିଂ ଏଡ୍ ଅପ୍ଲିକେସନର ବିକାଶ କରିବେ। ଏହା ଏଆଇ ପରିସଂସ୍ଥାନକୁ ପ୍ରୋତ୍ସାହନ ଦେବା ସହ ମାନବ ସମ୍ବଳର ପୋଷଣ କ୍ଷେତ୍ରରେ ସହାୟକ ହେବ।”
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ସ୍ଥାପନା ହେବାକୁ ଯାଉଥିବା ସେଣ୍ଟର ଅଫ୍ ଏକ୍ସିଲେନ୍ସ ଭାରତ ସରକାରଙ୍କର ‘ମେକ୍ ଏଆଇ ଇନ୍ ଇଣ୍ଡିଆ’ ଏବଂ ‘ମେକ୍ ଏଆଇ ୱାର୍କ ଫର୍ ଇଣ୍ଡିଆ’କୁ ସହଯୋଗ କରିବ।