ବାସ୍ତବରେ ରାମ ସେତୁ କେଉଁଠି ଅବସ୍ଥିତ କହିବା ମୁସ୍କିଲ, ସଂସଦରେ କହିଲେ କେନ୍ଦ୍ର ସରକାର

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ରାମ ସେତୁ ଅର୍ଥାତ ବର୍ତ୍ତମାନ ଯାହା ଆଡମ ବ୍ରିଜ୍ ଭାବେ ପରିଚିତ। ଏହି ପ୍ରସଙ୍ଗକୁ ହରିୟାଣାର ନିର୍ଦ୍ଦଳୀୟ ସାଂସଦ ରାଜ୍ୟସଭାରେ ଉଠାଇଛନ୍ତି। ସେତୁର ବୈଜ୍ଞାନିକ ଗବେଷଣା ଉପରେ ପଚରା ଯାଇଥିବା ସାଂସଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର କହିଛନ୍ତି, ରାମସେତୁ ବର୍ତ୍ତମାନ ଭାରତ ମହାସାଗରର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କେଉଁଠି ଅବସ୍ଥିତ ତାହା କହିବା  ମୁସ୍କିଲ। ତେବେ କିଛି ସଙ୍କେତ ରହିଛି, ଯାହା ଦର୍ଶାଉଛି ଯେ, ବୋଧହୁଏ ସେଠାରେ ହିଁ ରାମସେତୁ ରହିଥାଇପାରେ।

ସାଂସଦ କାର୍ତ୍ତିକେୟ ଶର୍ମା ପଚାରିଛନ୍ତି ଯେ, କେନ୍ଦ୍ର ସରକାର ଭାରତର ଐତିହ୍ୟ  ରାମ ସେତୁର ବୈଜ୍ଞାନିକ ଗବେଷଣା କରିବେ କି, ଯାହା ପୂର୍ବର ସରକାର ଏ ଦିଗ ପ୍ରତି ତିଳେ ହେଲେ ଧ୍ୟାନ ଦେଇନଥିଲେ। ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ମୁଁ ବହୁତ ଖୁସି ଯେ ଆମର ସାଂସଦ ରାମ ସେତୁ ବିଷୟରେ ପ୍ରଶ୍ନ କରିଛନ୍ତି। ଏହା ଉପରେ ଆମର କିଛି ସୀମା ରହିଛି। କାରଣ ଏହା ୧୮ ହଜାର ପୁରୁଣା ଇତିହାସ। ଆମେ ଯେଉଁ ଆଡମ ବ୍ରିଜ କଥା କହୁଛନ୍ତି ତାର ଲମ୍ବ ୫୬ କିଲୋମିଟର।

ମହାକାଶ ଜ୍ଞାନ କୌଶଳ ଜରିଆରେ ଆମେ ସମୁଦ୍ରରେ କିଛି ପଥରର ସନ୍ଧାନ କରିଛୁ। ପଥରର ଆକୃତି ଏମିତି କିଛି ରହିଛି ଯାହା ବହୁ ପୁରାତନର ହୋଇଥିବା ଜଣା ପଡୁଛି। ସମୁଦ୍ରରେ କିଛି ଦ୍ଵୀପ ଏବଂ ପଥର ପରି ଜିନିଷ ଦେଖିବାକୁ ମିଳିଛି। ଯଦି ସରଳ ଭାଷାରେ କୁହାଯିବ, ତେବେ ଏହା କହିବା କଷ୍ଟକର ଯେ ବାସ୍ତବ ରାମସେତୁ ସେଠାରେ ଅଛି। ତେବେ କିଛି ସଙ୍କେତ ମିଳୁଛି ଯାହା ଦର୍ଶାଉଛି ଯେ, ବୋଧହୁଏ ରାମସେତୁ ସେଠାରେ ଅବସ୍ଥିତ।

ମନ୍ତ୍ରୀ କହିଛନ୍ତି, ସରକାର କ୍ରମାଗତ ଦ୍ଵାରିକା ପରି ପ୍ରାଚୀନ ସହରର ସନ୍ଧାନ ଉପରେ କାମ କରୁଛନ୍ତି। ମନ୍ତ୍ରୀଙ୍କ ଉପରୋକ୍ତ ଟିପ୍ପଣୀ ପରେ କଂଗ୍ରେସ ନେତା ପଓ୍ଵନ ଖେରା ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ସମସ୍ତ ଦେବାଦେବୀ ଲୋତକପୂର୍ଣ୍ଣ ଆଖିରେ ଏସବୁ ଶୁଣୁଥିବେ। ମୋଦୀ ସରକାର ସଂସଦରେ କହିଛନ୍ତି ଯେ, ରାମସେତୁର ଅସ୍ଥିତ୍ଵକୁ ନେଇ କୌଣସି ପ୍ରମାଣ ନାହିଁ। ଭାରତୀୟ ସଂସ୍କତ ମହାକାବ୍ୟ ରାମାୟଣରେ ବର୍ଣ୍ଣିତ ଯେ, ତ୍ରତୋୟା ଯୁଗରେ ରାମ ସେତୁ ଭଗବାନ ରାମ ଏବଂ ତାଙ୍କର ବାନରସେନାଙ୍କ ଦ୍ଵାରା ନିର୍ମାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.