ମାନବିକତାରେ ନାହିଁ ଧର୍ମର ଅଙ୍କୁଶ : ଅଶାନ୍ତ ଦିଲ୍ଲୀର ନିଉ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ଦେଲେ ମୁସଲିମ୍ ପଡ଼ୋଶୀ
29/02/2020 at 10:33 AM

ନୂଆଦିଲ୍ଲୀ ୨୯/୨: ଯେତେବେଳେ ଉତ୍ତର-ପୂର୍ବ ଦିଲ୍ଲୀ ହିଂସାର ବହ୍ନିରେ ଜଳୁଥିଲା ଏବଂ ଲୋକେ ଡରି ନିଜ ନିଜ ଅଞ୍ଚଳ ଛାଡ଼ି ପଳାଇ ଯାଉଥିଲେ,ସେତେବେଳେ ନ୍ୟୁ ମୁସ୍ତଫାବାଦରେ ମୁସଲମାନମାନେ ଉଦାହରଣ ସୃଷ୍ଟି କରିଥିଲେ। ହିଂସା ସମୟରେ ମୁସ୍ତଫାବାଦରେ ରହୁଥିବା ରାମ ସେବକ ଶର୍ମା ନିଜ ଘରେ ନଡରି ରହିଥିଲେ। ସେ ମୁସଲିମ ବହୁଳ ଅଞ୍ଚଳରେ ରହିବା ସତ୍ବେ ନିଜକୁ ଅସୁରକ୍ଷିତ ମନେ କରିନଥିଲେ।
ରାମ ସେବକ ଶର୍ମାଙ୍କ ପରିବାର ତାଙ୍କ ବସ୍ତିରେ ଏକମାତ୍ର ବ୍ରାହ୍ମଣ ପରିବାର। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ସମୟରେ ଲୋକେ ରକ୍ତ ଚାଉଳ ଚୋବାଉଥିଲେ ସେତେବେଳେ ବି ରାମ ସେବକ ଶର୍ମା ମୁସଲିମଙ୍କ ମଧ୍ୟରେ ନିଜକୁ ସୁରକ୍ଷିତ ମନେ କରୁଥିଲେ। ଏହି ସମୟରେ ମୁସଲିମ୍ ପଡ଼ୋଶୀମାନେ ମଧ୍ୟ ରାମ ସେବକ ଶର୍ମା ଏବଂ ତାଙ୍କ ପରିବାରର ପୂରା ହେପାଜତ କରିଥିଲେ।
ରାମ ସେବକ ଶର୍ମାଙ୍କ କହିବା ଅନୁସାରେ ତାଙ୍କ ପରିବାର ଗତ ୩୫ବର୍ଷରୁ ମୁସଲିମଙ୍କ ସହ ମିଶି ରହୁଛି ଏବଂ ପରସ୍ପରର ସୁଖ-ଦୁଃଖ ବାଣ୍ଟୁଛି। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ସମୟରେ ମଧ୍ୟ ସେ ଆଖପାଖର ମାହୋଲ୍ ବିଗିଡ଼ିବାକୁ ଦେଇନଥିଲେ।
ରାମ ସେବକ ଶର୍ମାଙ୍କ ଘର ନ୍ୟୁ ମୁସ୍ତଫାବାଦର ନେହେରୁ ବିହାରର ଗଳି ନମ୍ବର ୧୫ରେ ଅବସ୍ଥିତ। ସେ କୁହନ୍ତି ଯେ ଆମେ ହିନ୍ଦୁ-ମୁସଲିମ୍ ଭାଇଚାରାକୁ ବିଶ୍ବାସ କରିଥାଉ। ଆମେ ୩୫ବର୍ଷରୁ ଏଠାରେ ରହି ଆସୁଛୁ। କିନ୍ତୁ ଆଜି ଯାଏଁ ଏପରି ହିଂସାତ୍ମକ ଘଟଣା କେବେ ଘଟି ନାହିଁ। ଆମେ ଆଖପାଖରେ କେବେ ଏକୁଟିଆ ଅନୁଭବ କରନଥାଉ।
ଫେବୃୟାରୀ ୨୪ ଏବଂ ୨୫ତାରିଖରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାତ୍ମକ ଆନ୍ଦୋଳନ ଦେଖାଯାଇଥିଲା। ଏହି ସମୟରେ ଲୋକଙ୍କ ଘର,ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଗୁଳିମାଡ଼,ପଥରମାଡ଼ ଏବଂ ପୋଡ଼ାଜଳା ହୋଇଥିଲା,ଯେଉଁଥିରେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଲ୍ ରତନ ଲାଲ ଏବଂ ଆଇବି କର୍ମଚାରୀ ଅଙ୍କିତ ଶର୍ମା ସମେତ ୪୧ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ବ୍ୟତୀତ ଅନେକ ସଂଖ୍ୟକ ଲୋକ ଗୁରୁତର ହୋଇଥିଲେ।
ଦିଲ୍ଲୀ ହିଂସା ମାମଲାରେ ପୋଲିସ୍ ୧୨୩ FIR ରୁଜୁ କରିଛି। ଏଥିରେ ୬୩ହଜଣଙ୍କୁ ଅଟକ ରଖାଯାଇଛି।ଦିଲ୍ଲୀ ପୋଲିସ୍ ହିଂସାର ତଦନ୍ତ ପାଇଁ ଏସଆଇଟିର ଦୁଇଟି ଟିମ୍ ଗଠନ କରିଛି।