ରାଜଧାନୀ ବଜାରରେ ମାଡିଚାଲିଛି ବେନାମୀ ପାଉଁରୁଟି, ପ୍ୟାକେଟରେ ନାହିଁ କମ୍ପାନୀ ନାଁ

Published By : Prameya-News7 Bureau | April 26, 2023 IST

ଭୁବନେଶ୍ୱର, ୨୬/୦୪: ରାଜଧାନୀ ମାଡିଚାଲିଛି ବେନାମୀ ପାଉଁରୁଟି । କମ୍ପାନୀ ନାଁ ଅଛି ଠିକଣା ନାଁ ଅଛି ପ୍ରସ୍ତୁତି ତାରିଖ । କେବେ ତିଆରି ହୋଇଛି, କେତେ ଦିନ ଯାଏଁ ସୁରକ୍ଷିତ, ତାହାର ବି ପତ୍ତା ନାହିଁ । ଏମିତି ବେନାମୀ ପାଉଁରୁଟି, କେକ୍‌ ଏବେ ରାଜଧାନୀର ଦୋକାନ ବଜାରରେ ଛାଇଗଲାଣି । କ୍ୟାବିନ୍‌ଠୁ ଆରମ୍ଭ କରି ବଡ଼ ଦୋକାନ, ସରକାରୀ ଓମଫେଡ୍‌ ଷ୍ଟଲରେ ବି ଏହାର ପସରା ମେଲିଛି ।

ଏଇ ବେନାମୀ ପାଉଁରୁଟିକୁ ଲୋକେ କିଣୁଛନ୍ତି, ଖାଉଛନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ଆଉ କେତେ ହାନିକାରକ, ତାହା କେହି ଜାଣିନାହାନ୍ତି । କେଉଁ ପାଣିରେ ତିଆରି ହେଉଛି ଏବଂ ପାଉଁରୁଟିରେ ଉପାଦାନର ମିଶ୍ରଣ କେତେ ପରିମାଣର ରହିଛି ତାହା ବି ସମସ୍ତଙ୍କୁ ଅଜଣା । ସ୍ୱାସ୍ଥ୍ୟ ବିଭାଗ ଚୁପ୍‌, ମହାନଗର ନିଗମ ବି ବେଫିକର । ନା ଯାଞ୍ଚ ହେଉଛି ନା ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ସତେ ଯେମିତି ଲୋକଙ୍କ ଜୀବନକୁ ବାଜି ଲଗାଇ ଆଖି ବୁଜି ଦେଇଛନ୍ତି ସମସ୍ତେ । ପାଉଁରୁଟି ଓ କେକ୍‌ ପ୍ୟାକେଟ ଉପରେ ରହିଛି ନିମ୍ନମାନର ଜରି । ଅନେକ ଜରି ପ୍ୟାକେଟରେ ପେଟିସ୍‌, ଆରିଷା ପିଠା, ମୁଡୁକି, ମଟର ଆଦି ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି । ଏହା କେଉଁଠୁ ଆସୁଛି, କିଏ ଏହାର ନିର୍ମାତା କିଛି ଜଣାନାହିଁ ।

ଦୋକାନୀଙ୍କୁ ପଚାରିଲେ, ଲୋକାଲ୍‌ ମାଲ୍‌, ଆଜି ଆସିଛି ବୋଲି ଉତ୍ତର ମିଳୁଛି । ବାସ୍‌, ଦୋକାନୀ ଉପରେ ଭରସା କରି ଲୋକେ ଉଠାଇ ନେଉଛନ୍ତି ଏ ଶସ୍ତା ପାଉଁରୁଟି ଓ ଖାଦ୍ୟ ସାମଗ୍ରୀ । ରାଜଧାନୀର ୧ ନମ୍ବର ହାଟ, ୪ ନମ୍ବର ହାଟ ସମେତ ସହିଦନଗର, ରସୁଲଗଡ଼, ପଳାଶୁଣି, ଭିଏସ୍‌ଏସ୍‌ ନଗର, ନୀଳାଦ୍ରି ବିହାର, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ରବି ଟକିଜ୍‌, ମାଷ୍ଟରକ୍ୟାଣ୍ଟିନ, ରୁଚିକା ମାର୍କେଟ୍‌, ପଟିଆ, ବାଣୀବିହାର, ପୋଖରୀପୁଟ, ଜାଗମରା, ଆଇଗିଣିଆ, ତମାଣ୍ଡୋ, କଳିଙ୍ଗନଗର, ପାହାଳ, ଡମଣାରେ ଏଭଳି ବେନାମୀ ଖାଦ୍ୟ ସାମଗ୍ରୀ ବେପାର ଜୋରସୋରରେ ଚାଲିଛି ।

ଏହି ଖାଦ୍ୟ ସାମଗ୍ରୀଗୁଡିକୁ ମୋପେଡ୍‌ ସାହାଯ୍ୟରେ ଦୋକାନରେ ଆଣି ପହଞ୍ଚାଇ ଦିଆଯାଉଛି । ଆଣିଥିବା ବ୍ୟକ୍ତିଙ୍କୁ ପାଉଁରୁଟି ବିଷୟରେ ପଚାରିଲେ ଉତ୍ତର ମିଳୁଛି ଲୋକାଲ ମାଲ, ସମ୍ପୂର୍ଣ୍ଣ ହାତ ତିଆରି । କୌଣସି ଭେଜାଲ ନାହିଁ, ସପ୍ତାହେ ଯାଏଁ ବିକ୍ରି ହୋଇପାରିବ । ତେବେ ପତ୍ତା ଲଗାଇବା ପରେ ଜଣାପଡିଥିଲା ଯେ ଏସବୁ ଲୁଚାଛପାରେ ଚାଲିଛି । ଖାଦ୍ୟ ସାମଗ୍ରୀ ତିଆରି ହେବା ପରେ ପ୍ୟାକେଟ୍‌ ହୋଇ ବଜାରକୁ ଛଡାଯାଉଛି ।

ଏହି ସବୁ ପାଉଁରୁଟି ଏବେ ବଜାରକୁ ଆସୁଛି ତାହା ନୁହେଁ ,ଦୀର୍ଘ ବର୍ଷ ପୂର୍ବରୁ ମଧ୍ୟ ବିକ୍ରି ହୋଇଆସୁଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବଜାରରେ ମିଳୁଥିବା ଏହି ପାଉଁରୁଟି କେବେ ତିଆରି ହୋଇଛି ଆଉ କେବେ ଯାଏଁ ବ୍ୟବହାର କରିହେବ ତାହା କାହାକୁ ଜଣାନାହିଁ । ସପ୍ତାହେ ଦୋକାନରେ ରଖି ବିକ୍ରି କଲେ ମଧ୍ୟ କେହି ଜାଣିପାରୁନାହାଁନ୍ତି ।

ବିଶେଷ କରି ୟୁନିଟ୍‌-୩, ଚନ୍ଦକା ଶିଳ୍ପାଞ୍ଚଳ, ମଞ୍ଚେଶ୍ୱର ଓ ସହିଦ୍‌ ନଗର ଅଞ୍ଚଳରୁ ଏହା ତିଆରି ହୋଇ ଆସୁଛି । ବିନା କୌଣସି ପଞ୍ଜିକରଣରେ ଏଭଳି ମାଳମାଳ ବେନାମୀ ଖାଦ୍ୟ ପ୍ରସ୍ତୁତକାରୀ କାରଖାନା ଚାଲିଛି । ଯେହେତୁ ବିନା ଅନୁମତିରେ ବେଆଇନ ଭାବେ ଏସବୁ କାରଖାନା ଚାଲିଛି, ତେଣୁ ପ୍ୟାକେଟରେ ନାଁ ରହୁନି । ସବୁଠୁ ବଡ କଥା ହେଲା ଜିଏସଟି ଫାଙ୍କିବାକୁ କାରଖାନାର ବ୍ୟବସାୟୀମାନେ ବିନା କମ୍ପାନୀ ଲୋଗୋରେ ବଜାରକୁ ବିକ୍ରି ପାଇଁ ଛାଡି ଦେଉଛନ୍ତି ।

କେବଳ ବେନାମୀ ପାଉଁରୁଟିରେ ଏଭଳି ହେଉଛି ତାହା ନୁହେଁ ଅନେକ ସମୟରେ ନାମୀ ଦାମୀ ବ୍ରାଣ୍ଡ୍‌ କମ୍ପାନୀର ଖାଦ୍ୟ ସାମଗ୍ରୀରେ ଏଭଳି ତାରିଖ ଉଲ୍ଲେଖ ରହୁନି । ଆଉ କିଛି କମ୍ପାନି ଅଭିନବ ଢଙ୍ଗରେ ଠକୁଛନ୍ତି । ବିକ୍ରି ହେଉଥିବା ପାଉଁରୁଟି ପ୍ୟାକେଟରେ ପ୍ରସ୍ତୁତ ତାରିଖ କିଛି ଦିନରୁ ଆଗୁଆ ପଡ଼ିଯାଉଛି । ୨ ତାରିଖରେ ତିଆରି ହୋଇଥିବାବେଳେ ୪ ତାରିଖରେ ପ୍ରସ୍ତୁତ ହେଉଥିବା ଦର୍ଶାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.