ବ୍ରିଟେନରେ ପ୍ରତି ୧୫ ଜଣରୁ ଜଣେ କରୋନା ସଂକ୍ରମିତ

Published By : Prameya-News7 Bureau | January 06, 2022 IST

ନୂଆଦିଲ୍ଲୀ ୦୬/୦୧  :  ବିଶ୍ଵରେ କରୋନାରେ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ରହିଛି ବ୍ରିଟେନ୍। କରୋନା ସଂକ୍ରମଣ ବଢ଼ୁଥିବାରୁ ସାର୍ବଜନୀନ ଜରୁରୀ ସେବା ଉପରେ ପ୍ରଭାବ ପଡ଼ୁଛି। ଯାହା ଫଳରେ ଡାକ୍ତରଖାନାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ଅଭାବ ଦେଖାହେବା ସହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇଂଲଣ୍ଡରେ କଡ଼ାକଡ଼ି ଲକଡାଉନ ଲାଗୁ କରିବାକୁ ବିରୋଧ କରୁଛନ୍ତି। ସ୍ଥିତିର ମୁକାବିଲା ପାଇଁ   କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ଓ ଜନ ସଚେତନତା ଉପରେ ସେ ଅଧିକ ଗୁରୁତ୍ଵାରୋପ କରିଛନ୍ତି। ଗତ ସପ୍ତାହରେ  ଗୋଟିଏ ଦିନରେ ବ୍ରିଟେନ୍ରେ ୨,୨୦,୦୦୦ କରୋନା ମାମଲା ଚିହ୍ନଟ ହୋଇଥିଲା। ସେଥିପାଇଁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ କରୋନା ପରୀକ୍ଷଣ ହାରକୁ ବଢ଼ାଇ ଦିଆଯାଇଛି।

ବୋରିସ ଜନସନ କହିଛନ୍ତି “ବର୍ତ୍ତମାନ ଚିନ୍ତାର ବିଷୟ ଏହା ଯେ ବୟସ୍କ ଓ ଅଧିକ ଦୁର୍ବଳ ଲୋକଙ୍କ ଭିତରେ ସଂକ୍ରମଣ ଦ୍ରୁତ ବେଗରେ ବଢ଼ି ଚାଲିଛି। ୬୦ରୁ  ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ ପ୍ରତି ସପ୍ତାହରେ ସଂକ୍ରମଣ ଦୁଇଗୁଣା ବଢ଼ିଚାଲିଛି। ଏହାଯୋଗୁଁ ଜାତୀୟ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଚାପ ବଢ଼ି ଯାଇଛି”।

ଶେଷ ସପ୍ତାହରେ ୬ ପ୍ରତିଶତରୁ ଅଧିକ ଜନସଂଖ୍ୟା  ହିସାବ ଅନୁସାରେ ଇଂଲଣ୍ଡରେ ପ୍ରତି ୧୫ ଜଣଙ୍କ ଭିତରେ ଜଣେ କୋଭିଡ ଚିହ୍ନଟ ହେଉଛନ୍ତି । ପୂର୍ବ ସପ୍ତାହରେ ପରିସଂଖ୍ୟାନ ଅନୁସାରେ ୨୫ ଜଣରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି  ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟରୁ ଜଣା ପଡିଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁଯାୟୀ, ସ୍କଟଲାଣ୍ଡ, ୱେଲସ ଓ ଉତ୍ତର ଆୟାରଲାଣ୍ଡର ସରକାର କରୋନା ମହାମାରୀକୁ ମୁକାବିଲା କରିବା ପାଇଁ କଡ଼ାକଡ଼ି କଟକଣାକୁ ଲାଗୁ କରିଛନ୍ତି । ସ୍କଟଲାଣ୍ଡ ଓ ୱେଲସରେ ପ୍ରତି ୨୦ ଜଣରୁ ଜଣେ ଓ ଉତ୍ତର ଆୟାରଲାଣ୍ଡ ୨୫ ଜଣରୁ ଜଣେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ।

ବର୍ତ୍ତନମାନ ସୁଦ୍ଧା ବ୍ରିଟେନରେ ୩୦ ଲକ୍ଷ ୭୫ ହଜାର ଲୋକ କରୋନା ସଂକ୍ରମିତ ହେବା ସହିତ ୧ଲକ୍ଷ ୫୦ ହଜାର ଲୋକ କରୋନା ଜନିତ ମୃତ୍ୟୁର ଶୀକାର ହୋଇଛନ୍ତି। ବୋରିସ ଜନ ସନ କହିଛନ୍ତି ଅର୍ଥ ବ୍ୟବସ୍ଥା ନିୟମିତ ଚାଲୁ ରହିବାରୁ କୋଭିଡ-୧୯ ସଂକ୍ରମଣ ଇଂଲଣ୍ଡରେ ବୃଦ୍ଧି ପାଇଛି। ଲଣ୍ଡନରେ କରୋନାର ପ୍ରଭାବ  ଅଧିକ ପଡ଼ିଛି। ସେଠାରେ ପ୍ରତି ୧୦ ଜଣଙ୍କ ଭିତରୁ ଜଣେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.