ବିହାରରେ ବହୁମତ ସାବ୍ୟସ୍ତ କଲେ ନୀତିଶ ସରକାର, ସପକ୍ଷରେ ପଡିଲା ୧୬୦ ଭୋଟ୍
24/08/2022 at 6:39 PM

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ମହାମେଣ୍ଟ ସରକାର ବୁଧବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିଛନ୍ତି। ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ ସମୟରେ ନୀତିଶ ସରକାରଙ୍କ ପକ୍ଷରେ ୧୬୦ ସଦସ୍ୟ ଭୋଟ୍ ଦେଇଛନ୍ତି। ଅନ୍ୟପଟେ ବିରୋଧୀ ଦଳର ସଦସ୍ୟ କକ୍ଷତ୍ୟାଗ କରିବାରୁ ସରକାରଙ୍କ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡିନି।
ବିଧାନସଭାରେ ନୀତିଶ ସରକାରଙ୍କୁ ଜେଡିୟୁ, ଆରଜେଡି, କଂଗ୍ରେସ, ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା(ହମ), ସିପିଆଇ, ସିପିଆଇଏମ ଏବଂ ଜଣେ ନିର୍ଦ୍ଦଳୀୟ ସମେତ ୧୬୪ ସଦସ୍ୟଙ୍କ ସମର୍ଥନ ମିଳିଛି। ଏହା ପୂର୍ବରୁ ଗୃହରେ ନିଜ ଭାଷଣ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ଏନଡିଏରେ ମୋର ସମ୍ମାନ ନଥିଲା। ଅଟଳ ବିହାରୀ ବାଜପେୟୀ ଏବଂ ଆଡଓ୍ଵାଣୀଙ୍କ ପରି ନେତା ମୋତେ ସମ୍ମାନ ଦେଇଥିଲେ। ମୁଁ ବିଜେପି ସହ ୨୦୧୩ରେ ସେହି ସମୟରେ ସଂପର୍କ ଛିନ୍ନ କଲି ଯେତେବେଳେ ଏହି ସମ୍ମାନନୀୟ ନେତାଙ୍କୁ କଣଠେସା କରାଗଲା।
ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୀତିଶ ଟାର୍ଗେଟ୍ କରିଛନ୍ତି। ଆଜି ଦିଲ୍ଲୀରେ ଲୋକେ ପ୍ରଚାର ପ୍ରସାରରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ୨୦୨୪ର ଯୋଜନା ଉପସ୍ଥାପନ କରିଥିଲେ ଏବଂ ଏକଜୁଟ୍ ବିରୋଧୀ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇ ପାରିବ ବୋଲି ନୀତିଶ କୁମାର କହିଛନ୍ତି।