ବିହାରରେ ବିଷାକ୍ତ ମଦ ପିଇ ୫ ମୃତ, ୨ ଆହତ

Published By : Prameya-News7 Bureau | May 24, 2022 IST

ପାଟନା ୨୪/୦୫ : ବିହାରର ଔରଙ୍ଗାବାଦ ଜିଲ୍ଲାରେ ନକଲି ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଔରଙ୍ଗାବାଦର ଆରକ୍ଷି ଅଧିକ୍ଷକ (ଏସପି) କନ୍ତେଶ କୁମାର ମିଶ୍ରଙ୍କ ଅନୁସାରେ ଏହି ଘଟଣା ମଦନପୁର ବ୍ଲକରେ ଦେଖିବାକୁ ମିଳିଛି। ନକଲି ବିଷାକ୍ତ ମଦପିଇ ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ସୋମବାର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ୨ଜଣଙ୍କର ମୃତ୍ୟୁ ହୋଇଛି। ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ଅନ୍ୟ ଦୁଇଜଣ ଲୋକ ଏବେ ଗୟା ଜିଲ୍ଲାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ଏହି ପାଞ୍ଚଜଣ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜାଣିବା ଏବେ ସମ୍ଭବ ନୁହେଁ କାରଣ ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକମାନେ ଶବ ସଂସ୍କାର କରିସାରିଥିଲେ ବୋଲି ଏସପି କହିଛନ୍ତି। ବେଆଇନ ଭାବେ ସେହି ଅଞ୍ଚଳରେ ବିଷାକ୍ତ ମଦ ବିକ୍ରି ହେଉଥିବା ସୂଚନା ମିଳିବା ପରେ ଏହାକୁ ଗୁରୁତର ଭାବେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି କନ୍ତେଶ ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ବର୍ତ୍ତମାନ ସୁଦ୍ଧା ଅନେକ ବେଆଇନ ମଦଭାଟିକୁ ନଷ୍ଟ କରିବା ସହିତ ୬୭ ଜଣ ସନ୍ଦିଗ୍ଧ ମଦ ବ୍ୟବସାୟୀଙ୍କୁ ଗିରଫ କରିଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.